୨୦୧୯ ପାଇଁ ବିଜେଡିର ସୋସିଆଲ ମିଡିଆ ଅସ୍ତ୍ର! ଆରମ୍ଭ ହେଲା ନବୀନଙ୍କ ସହ ସେଲଫି କାର୍ଯ୍ୟକ୍ରମ, ଜାଣନ୍ତୁ କିଭଳି ମୁଖ୍ୟମନ୍ତ୍ରୀଙ୍କ ସହ ନେଇପାରିବେ ସେଲଫି

301

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେଲଫି ନେବା ପାଇଁ ନୂଆ ଆପ୍ ଆଣିଛି ଦଳର ଆଇଟି ୱିଙ୍ଗ୍ସ୍ । ଏହା ସହ ମୋ ନବୀନ ମୋ ଘରେ କାର୍ଯ୍ୟକ୍ରମ ମାଧ୍ୟମରେ ଆଇଟି ସେଲର କର୍ମକର୍ତା ପ୍ରତି ଘରେ ବୁଲିବେ ବୋଲି ନିଷ୍ପତି ନେଇଛି ବିଜେଡି । ଦଳର ଆଇଟି କନକ୍ଲେଭରେ ୩୦୦ କଲେଜ ଛାତ୍ରଛାତ୍ରୀଙ୍କୁ ବିଜେଡି ଦଳୀୟ କାର୍ଯ୍ୟାଳୟରେ ଉଦବୋଧନ ଦେଇଛନ୍ତି ନବୀନ ଏବଂ ସେମାନଙ୍କ ଆଗରେ ବଖାଣିଛନ୍ତି ବିଜୁବାବୁଙ୍କ ଆଦର୍ଶ କଥା ।

ସୋସିଆଲ ମିଡିଆ କ୍ୟାମ୍ପେନକୁ ଜୋରଦାର କରିବା ପାଇଁ ବିଜେଡି ଆରମ୍ଭ କରିଛି ନବୀନଙ୍କ ସହ ସେଲଫି କାର୍ଯ୍ୟକ୍ରମ । ଏହା ସହ ଆରମ୍ଭ ହୋଇଛି ମୋ ନବୀନ ମୋ ଘରେ କ୍ୟାମ୍ପେନ୍ । ଆଜି ଦଳୀୟ କାର୍ଯ୍ୟାଳୟରେ ବିଜେଡି ଆଇଟି ସେଲର ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଛାତ୍ର ଜନତା ଦଳ କର୍ମକର୍ତାଙ୍କ ସହ ସେଲଫି ନେଇଛନ୍ତି ନବୀନ ।

ଲୋକଙ୍କ ସହ ନିକଟତର ହେବାକୁ ବିଜେଡି ଆରମ୍ଭ କରିଛି ଅଭିନବ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯେଉଁମାନେ ସେଲଫି ଉଠାବାକୁ ଚାହୁଁଥିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଣ୍ଡ୍ରଏଡ୍ ଭର୍ସନ ବ୍ୟବସ୍ଥା କରିଛି ବିଜେଡି ଆଇଟି ସେଲ୍ । ଏହି କାର୍ଯ୍ୟକ୍ରମରେ ଘରେ ଘରେ ବୁଲିବେ ବିଜେଡି ଆଇଟି ସେଲ୍ କର୍ମକର୍ତା । ନବୀନଙ୍କ ସହ ଫଟୋ ଉଠାଇବାକୁ ଚାହିଁବେ, ସେମାନେ ଫଟୋ ଉଠାଇପାରିବେ । ଆଉ ସାଂଗେ ସାଂଗେ ତା’ର ଫଟୋ କପି ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଦିଆଯିବ । ସେହିପରି ସମସ୍ତ ଜିଲ୍ଲା ଦଳୀୟ କାର୍ଯ୍ୟାଳୟକୁ ଯାଇ ମଧ୍ୟ ଛାତ୍ରଛାତ୍ରୀ, ବିଜେଡି କର୍ମୀ ଓ ଯେକୌଣସି ବ୍ୟକ୍ତି ଯାଇ ନବୀନଙ୍କ ସହ ସେଲଫି ନେଇପାରିବେ । ସେଠାରୁ ଫଟୋ କପି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ ।

୨୦୧୯ ନିର୍ବାଚନ ଯେତିକି ପାଖେଇ ଆସିଛି, ପ୍ରତିଯୋଗିତା ସେତିକି ତୀବ୍ର ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି । ନୂଆ ଭୋଟର ତାଲିକାରେ ଅଧିକାଂଶ ଯୁବକ ଯୋଡି ହୋଇଥିବାରୁ ଏହିମାନେ ଏବେ ବିଜେଡିର ଫୋକସରେ ରହିଛନ୍ତି ।