ସେଲଫି ପାଇଁ ଚାଲିଗଲା ଜୀବନ ! ପାହାଡରୁ ତଳକୁ ଖସିପଡିଲେ ଯୁବକ ।

33

କୌଣସି ସ୍ଥାନକୁ ଗଲେ କେହି ସେଲଫି ନେବା ପାଇଁ ଭୁଲିନଥାନ୍ତି । କିନ୍ତୁ ସେହି ସେଲଫି ବେଳେ ବେଳେ ସାଜିଥାଏ ମୃତ୍ୟୁର କାରଣ । ଅଷ୍ଟ୍ରେଲିଆରେ ପାଠ ପଢୁଥିବା ଜଣେ ଭାରତୀୟ ଛାତ୍ର ସମୂଦ୍ର କୁଳରେ ସେଲଫି ଉଠାଉଥିବା ବେଳେ ୪୦ ମିଟର ଘାଇରେ ପଡି ମୃତ୍ୟୁ ବରଣ କରିଛନ୍ତି । ୨୦ ବର୍ଷୀୟ ଯୁବକ ଅଙ୍କିତ ଏକ ବହୁ ଚର୍ଚ୍ଚିତ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇଥିଲେ । ସେଠାରେ ଏକ ପାହାଡ ଉପରେ ସେଲଫି ନେଉଥିବା ସମୟରେ ୪୦ ମିଟର ଉଚ୍ଚା ପାହାଡରୁ ସମୁଦ୍ରର ଏକ ଘାଇକୁ ଖସି ପଡିଥିଲେ । ଯାହା ଫଳରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଅଙ୍କିତ ଅଷ୍ଟ୍ରେଲିଆର ପର୍ଥ ନାମକ ଏକ କଲେଜରେ ପାଠ ପଢୁଥିଲେ । ଗତ ଗୁରୁବାର ଦିନ ପାଠ ପଢାରୁ ଟିକେ ସମୟ ମିଳିବାରୁ ଅଙ୍କିତ ତାଙ୍କ ସାଙ୍ଗ ମାନଙ୍କ ସହ ଟିକେ ମଜା ମସ୍ତି କରିବା ପାଇଁ ଏକ ଐତିହାସିକ ବନ୍ଦର ଗାହାକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ ସାଙ୍ଗ ମାନଙ୍କ ସହ ଏକ ସେଲଫି ନେବା ପାଇଁ ୪୦ ମିଟର ଏକ ପାହାଡ ଉପରକୁ ଚଢିଥିଲେ । ପାହାଡ ଉପରେ ଛିଡା ହୋଇ ସେଲଫି ନେବା ସମୟରେ ଗୋଡ ଖସିବା କାରଣରୁ ଅଙ୍କିତ ଘାଇରେ ପଡି ଯାଇଥିଲେ । ଘଟଣା ଘଟିବାର ପ୍ରାୟ ଏକ ଘଣ୍ଟା ପରେ ସର୍ଚ୍ଚ ଅପରେସନ କରାଯାଇ ଅଙ୍କିତଙ୍କୁ ପାଣିରୁ ବାହାର କରାଯାଇଥିଲା । କିନ୍ତୁ ସେଠାରେ ସର୍ଚ୍ଚ ଟିମ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ପୁଲିସ ଅଙ୍କିତଙ୍କ ମାତା ପିତାଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା ଜାରି ରଖିଥିବା ବେଳେ ଏଯାଏଁ କୌଣସି ସମ୍ପର୍କ ହୋଇପାରି ନାହିଁ ।