ସେଲଫି ପଏଣ୍ଟ ପାଲଟିଛି ପୁଷ୍ପା-ଟୁ’ର ସୁଟିଂ ସ୍ଥାନ। ରକ୍ତ ଚନ୍ଦନ କାଠ ଓ ପଥରର ଫଟୋ ଉଠାଇବା ସହ ସେଲଫିର ମଜା ନେଉଛନ୍ତି ଦର୍ଶକ

394

କନକ ବ୍ୟୁରୋ: ପୁଷ୍ପା-୨ ସୁଟିଂ ସ୍ଥାନ ଏବେ ସେଲଫି ପଏଣ୍ଟ । ମୈତ୍ରୀ ମୁଭି ମେକର ବ୍ୟାନରେ ନିର୍ମିତ ହୋଇଥିବା ତେଲୁଗୁ ଚଳଚିତ୍ର ପୁଷ୍ପା-୨ର ପ୍ରଥମ ପର୍ଯ୍ୟାୟ ସୁଟିଂ ଇତି ମଧ୍ୟରେ କାଲିମେଳା ବ୍ଳକର ଆନ୍ଧ୍ର ସୀମାନ୍ତ ପୋଲୁର ଗ୍ରାମ ନିକଟସ୍ଥ ସିଲେରୁ ନଦୀ କୂଳରେ ଶେଷ ହୋଇଯାଇଛି । ସୁଟିଂ ସରିବାପରେ ଏହି ସୁଟିଂ ସ୍ଥାନଟି ଏବେ ଦର୍ଶକଙ୍କ ସେଲଫି ପଏଂଟ ଭାବରେ ବେଶ ପରିଚିତ ହୋଇଛି । ପ୍ରତ୍ୟେକ ଦିନ କିଛି ନା କିଛି ଦର୍ଶକ ଏହି ସୁଟିଂ ସ୍ଥାନକୁ ଆସି ଏଠାରେ ପଡ଼ିରହିଥିବା ରକ୍ତ ଚନ୍ଦନ କାଠ ଓ ପଥରର ଫଟୋ ଉଠାଇ ନେଇଯାଉଛନ୍ତି । ଏଥି ସହିତ ସେଲଫି ଉଠାଇବାର ମଜା ମଧ୍ୟ ନେବାକୁ ଭୁଲୁ ନାହାଁନ୍ତି ।

ଏଠାରେ ଚଳଚିତ୍ରର ଏକ ଦମଦାର ଫାଇଟିଂର ଦୃଶ୍ୟ ସୁଟିଂ କରାଯାଇଥିବାର ସୂଚନା ମିଳିଛି । ଏବେ ମଧ୍ୟ ଏଠାରେ କୃତିମ ରକ୍ତ ଚନ୍ଦନ, କୃତିମ ବଡ଼ ବଡ଼ କଳାମୁଗୁନି ପଥର, ଚୁଲି, ଦଉଡ଼ି, କଟାଯାଇଥିବା କାଠ, ମଶାଲ ପଡ଼ିରହିଥିବାର ଦେଖିବାକୁ ମିଳିଛି । ରାତିର କିଛି ଦୃଶ୍ୟର ସୁଟିଂ ମଧ୍ୟ ଏଠାରେ କରାଯାଇଥିବାର ଅନୁମାନ କରାଯାଉଛି । ତେବେ ସୁଟିଂ ସମୟରେ ଦର୍ଶକମାନଙ୍କୁ ସୁଟିଂ ସ୍ଥାନକୁ ଯିବାକୁ ବାରଣ କରାଯାଇଥିବାରୁ ଅନେକ ଦର୍ଶକ ମନଦୁଃଖରେ ଫେରିଯାଇଥିଲେ । ହେଲେ ସୁଟିଂ ସିନା ଦେଖିବାର ସୁଯୋଗ ମିଳିନଥିଲା କିନ୍ତୁ ସୁଟିଂ ହେଇଥିବା ସ୍ଥାନକୁ ଦେଖି ଦର୍ଶକ ଏବେ ବେଶ ଖୁସିଥିବା କହିଛନ୍ତି ।