ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ କରିଛି ଆତ୍ମନିର୍ଭର । କେନ୍ଦ୍ରାପଡା ଗରଦପୁର ବ୍ଲକ ମଦନା ଗ୍ରାମର ଯୁବ ଚାଷୀ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା 

122

କନକ ବ୍ୟୁରୋ: ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ କରି ସଫଳତା ପାଇଛନ୍ତି ଜଣେ ଯୁବ ମାଛଚାଷି ମାଗୁର ମାଛ ଚାଷ ଦେଇଛି ରୋଜଗାର ଆଉ ପରିଚୟ । ନିଜ ଜମିରେ ଦୁଇଟି କୁଣ୍ଡ ପ୍ରତିଷ୍ଠା କରି ମାଗୁର ଚାଷ ସହିତ ରୋହି ଭାକୁର ଜାଁଳ ଉତ୍ପାଦନ କରି ରୋଜଗାର କରୁଛନ୍ତି ବାର୍ଷିକ ଲକ୍ଷାଧୀକ ଟଙ୍କା । କରୋନା ମହାମାରି ପ୍ରଭାବରେ ଜିବିକା ହରାପରେ ମାଛଚାଷ ମାଲଟିଛି ରୋଜଗାରର ମୁଖ୍ୟ ମାଧ୍ୟମ ।

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ମଦନା ଗ୍ରାମର ରଂଜନ ସ୍ୱାଇଁ ନିଜର ନିଷ୍ଠା ଏବଂ ଉଦ୍ୟମ ବଳରେ ସ୍ଥାନିୟ ଅଂଚଳରେ ଜଣେ ସଫଳ ମାଛ ଚାଷି ଭାବରେ ପାଇଛନ୍ତି ସଫଳତା । କରୋନା ମହାମାରି ପ୍ରଭାବରେ ନିଜର ଜିବିକା ହରାଇବାପରେ ମାଛ ଚାଷ ପାଇଁ ମନ ବଳାଇଥିଲେ ରଂଜନ । ନିଜର ଜମିବାଡି ବିଶେଷ ନଥିବାରୁ ଜମି ଲିଜ୍ରେ ଆଣି ଆରମ୍ଭ କରିଥିଲେ ବାୟୋଫ୍ଲକ୍ ପଦ୍ଧତିରେ ମାଗୁର ମାଛ ଚାଷ । ପ୍ରଥମେ ଦୁଇଟି କୁଣ୍ଡରେ ମାଛ ଚାଷ ଆରମ୍ଭ କରିବା ପରେ ପୁଣି ଏକ ଛୋଟ ପୋଖରୀ ଖୋଳି ସେଥିରେ ମଧ୍ୟ ମାଗୁର ମାଛ ଚାଷ ଆରମ୍ଭ କରିଥିଲେ । ମାଛ ଚାଷ ସହିତ ରୋହି ଏବଂ ଭାକୁର ଜାଁଆଳ ମଧ୍ୟ ଉତ୍ପାଦନ କରି ସ୍ଥାନୀୟ ଅଂଚଳରେ ବିକ୍ରି କରି ଭଲ ଦୁଇପଇସା ରୋଜଗାର କରିପାରୁଛନ୍ତି । ଏହା ସହିତ ଜିଲ୍ଲାର ବିଭିନ୍ନ ଅଂଚଳରୁ ମାଛ ବ୍ୟବସାୟି ରଂଜନଙ୍କ ଫାର୍ମରେ ପହଁଚି ମାଛ କିଣି ନେଉଛନ୍ତି ।

ରଂଜନ ପ୍ରଥମେ ଏଲ୍ଇଡି ଲାଇଟ୍ ବୋର୍ଡ ପ୍ରସ୍ତୁତି କରିବା ସହିତ କେନ୍ଦ୍ରାପଡା ଏବଂ ପଡୋଶି ଜଗତସିହଂପୁର ଜିଲ୍ଲାର ବିଭିନ୍ନ ଟେଂଟ୍ ହାଉସ ଏବଂ ଡେକୋରେସନ୍ ସଂସ୍ଥାକୁ ସପ୍ଲାଏ କରିବା ସହିତ ଭଲ ଦୁଇ ପଇସା ରୋଜଗାର କରୁଥିଲେ । କରୋନା ମହାମାରି ପ୍ରଭାବରେ ବ୍ୟବସାୟ ବନ୍ଦ ହୋଇଯିବା ଫଳରେ ନିଜର ଜୀବିକା ହରାଇଲେ । ପ୍ରାୟ ଦେଢବର୍ଷ ହେବ ଆରମ୍ଭ କରିଥଲେ ପୟୋଫ୍ଲକ ପଦ୍ଧତିରେ ମାଛ ଚାଷ । ନିଜେ ଏକ ଜମିକୁ ଲିଜରେ ନେବା ସହିତ ଦୁଇଟି କୁଣ୍ଡ ପ୍ରତିଷ୍ଠା କରିଥିଲେ । ଏହି କୁଣ୍ଡକୁ ୨୪ ଘଂଟିଆ ଅକ୍ସିଜେନ୍ , ପାଣି ଯୋଗାଣ ସହିତ ବିଭିନ୍ନ ଆନୁସଙ୍ଗିକ ଯନ୍ତ୍ରପାତି ପାଇଁ ୮୦ ହଜାରରୁ ଉର୍ଦ୍ଧଟଙ୍କା ଖର୍ଚ୍ଚ କରିଛନ୍ତି । ବାର୍ଷିକ ୨ ଥର ମାଗୁର ମାଛ ଉତ୍ପାଦନ ହେଉଥିବା ବେଳେ ଗୋଟିଏ କୁଣ୍ଡରୁ ୩ କୁଇଂଟାଲ ପର୍ଯ୍ୟନ୍ତ ମାଛ ବାହାରିଥାନ୍ତି । ମାଗୁର ମାଛ ଜାଁଳ ଭୁବନେଶ୍ୱରରୁ ଏକ ଫାର୍ମରୁ ଗୋଟା ୩ ଟଙ୍କା ହିସାବରେ ବାର୍ଷିକ ୩୦ ହଜାର ଜାଁଳ ରଂଜନଙ୍କୁ ଆଣିବାକୁ ପଡିଥାଏ । ମାଗୁର ମାଛ ସହିତ ରୋହି ଭାକୁର ଜାଁଳ ବିକ୍ରୟ କରି ବାର୍ଷକ ଲକ୍ଷାଧୀକ ଟଙ୍କା ରୋଜଗାର କରୁଛନ୍ତି ରଂଜନ । ତାଙ୍କର ଏହି ଚାଷ ପଦ୍ଧତିକୁ ଦେଖି ସ୍ଥାନିୟ ଅଂଚଳର ଯୁବକ ମାନେ ମଧ୍ୟ ଏହି ପଦ୍ଧତିରେ ମାଛ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ନିଜ ଉଦ୍ୟମରେ ବାୟୋଫ୍ଲକ ପଦ୍ଧତିରେ ମାଗୁର ମାଛ ଏବଂ ଜାଆଁଳ ଉତ୍ପାଦନ କରି ଭଲ ଦୁଇପଇସା ରୋଜଗାର କରିବା ସହିତ ସଫଳତା ପାଇଥିବା ରଂଜନଙ୍କୁ ସରକାରି ସହାୟତା ପ୍ରଦାନ କରାଗଲେ ସେ ଅଧିକ ସଫଳତା ପାଇପାରନ୍ତେ ବୋଲି ରଂଜନ ମତପ୍ରକାଶ କରିଛନ୍ତି ।