ଆତ୍ମଘୋଷିତ ବାବା ବିଜୟାନନ୍ଦଙ୍କ ଫିଟୁଛି ଗୁମର । କଳା କାରନାମା ପରେ ଏବେ ବାବାଙ୍କ ବାରହାତର ଖଣ୍ଡାକୁ ନେଇ ଚର୍ଚ୍ଚା, ସାମ୍ନାକୁ ଆସିଲା ବିଶ୍ୱାସ ଜନ୍ମାଇବା ପାଇଁ କେମିତି କରୁଥିଲେ ଯୋଜନା ।

343

କନକ ବ୍ୟୁରୋ : ଧିରେ ଧିରେ ଖୋଲୁଛି ଆତ୍ମଘୋଷିତ ବାବା ବିଜୟାନନ୍ଦ ମହାରାଜ ଓରଫ ବିଜୟାନନ୍ଦ ଚୌଧୁରୀ ଠକେଇ ସାମ୍ରାଜ୍ୟର କାହାଣୀ । ଠକେଇ କରିବା ପାଇଁ ନିଜକୁ ସାଧୁ କହୁଥିବା ଏହି ବାବା ଅତି ଚତୁରତାର ସହିତ ଯୋଜନା ବନାଉଥିଲେ । ସାଧୁସନ୍ଥଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ରାଜନେତାଙ୍କ ନିକଟତର ବୋଲି ଦେଖାଉଥିଲେ । ଏପରିକି ଏକ ଚଳଚିତ୍ର ମଧ୍ୟ ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ । ଯାହା ଏବେ ଚର୍ଚ୍ଚାରେ ରହିଛି ।

ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀଙ୍କ ଠକାମି ଧରାପଡିବା ପରେ ଖୋଲୁଛି ଗୁମର । ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ନିଜକୁ ଆଧାତ୍ମିକତା ସହ ଯୋଡିଥିଲେ । ଏପରିକି ବର୍ଷକରେ ଥରେ ପଡୁଥିବା ଖଣ୍ଡଗିରି କୁମ୍ଭମେଳାକୁ ଆସୁଥିବା ସାଧୁମାନଙ୍କ ସହ ସମ୍ପର୍କ ବଢ଼ାଇଥିଲେ । ଜଣେ ବଡ ସାଧୁ ଭାବେ ସେମାନଙ୍କ ସହ ଖାଇବା, ବସିବାଠାରୁ ଆରମ୍ଭ କରି ଆଧାତ୍ମିକ ଚର୍ଚ୍ଚାରେ ଭାଗ ନେଉଥିଲେ । ଆଉ ସମାଜ ଆଖିରେ ନିଜକୁ ଜଣେ ବରିଷ୍ଠ ସାଧୁ ଭାବେ ଉପସ୍ଥାପନ କରୁଥିଲେ ।

ଚର୍ଚ୍ଚାରେ ବାବାଙ୍କ ବାରହାତ ଖଣ୍ଡା । ପ୍ରସ୍ତୁତ କରୁଥିଲେ ଓଡିଆ ଫିଲ୍ମ । ଠକ ବାବାଙ୍କୁ ନେଇ ଇଓଡବ୍ଲୁର ତଦନ୍ତ ଯେତିକି ଆଗଉଛି ସେତିକିି ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଏକ ଚଳଚିତ୍ର ନିର୍ମାଣ କରିବାକୁ ଯାଉଥିଲେ । ସେଲିବ୍ରିଟିଙ୍କ ସହ ଫଟୋ ଉଠାଇ ତାଙ୍କର ପ୍ର୍ରତିପତି ଦେଖାଇବାକୁ ଚାହୁଁଥିଲେ । ସେହି ଚଳଚିତ୍ର ପାଇଁ କାହାଣୀ ପୂଜା ସମୟର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବାବାଙ୍କ ହାତରେ ରହିଛି ଏକ ୧୨ ହାତର ଡମି ଖଣ୍ଡା । ଆଉ କିଛି ଲୋକ ବାବାଙ୍କ ଗହଣରେ ଓଡ଼ିଆ ଚଳଚିତ୍ର ୧୨ହାତ ଖଣ୍ଡାର କାହାଣୀ ପୂଜା କରୁଛନ୍ତି । ବାବା ଜଣକ ଏକ ନୂଆ ଚଳଚିତ୍ରର ଶୁଭ ମହୁରତ ସମୟରେ ଏକ ଡମି ଖଣ୍ଡା ଧରି ଥିଲେ ।

ବାବାଙ୍କ ଅସଲ କାରନାମାର କାହାଣୀ ସେତେବେଳେ ପଦାକୁ ଆସିଲା ଯେତେବେଳେ ବାବାଙ୍କୁ ହାତ କଡି ପିନ୍ଧାଇଲା ଅର୍ଥନୈତିକ ଅପରାଧ ଶାଖା । ଜାଲ କାଗଜପତ୍ର ଜରିଆରେ ଓଟିଡିସି ଅଫିସ ଆଗରେ ଛିଡା ହୋଇ ବାବା ଓ ତାଙ୍କ ସହଯୋଗୀମାନେ ଠିକାଦାରଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ । ଆଉ ତାପରେ ସେମାନଙ୍କ ଚୁନା ଲଗାଉଥିଲେ ।

ସେହିପରି ବଡ ବଡ ରାଜନେତାଙ୍କ ସହ ତାଙ୍କ ସମ୍ପର୍କ ବଢ଼ାଇଥିଲେ । ରାଜନେତାମାନଙ୍କ ସହ ଫଟୋ ଉଠାଉଥିଲେ । ଭିଡିଓ କରୁଥିଲେ । ସେସବୁକୁ ସୋସିଆଲ ମିଡିଆରେ ପୋଷ୍ଟ ବି କରୁଥିଲେ । ଏପରିକି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ସହ ଫଟୋ ଏଡିଟ୍ କରି ସୋସିଆଲ ମିଡିଆରେ ଛାଡିଥିଲେ । ଆଉ ଦେଖାଇବାକୁ ଚାହୁଁଥିଲେ ସେ ବଡ ବଡ ରାଜନେତାଙ୍କ କେତେ ନିକଟତର । ତାଙ୍କର ପ୍ରତିପତି ଓ କ୍ଷମତା । କିନ୍ତୁ ଏହା ପଛରେ ଲୁଚି ରହିଥିଲା ବାବାଙ୍କ ମନ୍ଦ ଉଦେଶ୍ୟ । ସାଧାରଣ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପରେ ସୁଯୋଗ ଦେଖି, ସେମାନଙ୍କଠାରୁ ଠକି ନେଉଥିଲେ କୋଟି କୋଟି ଟଙ୍କା ।