ଜେଲରୁ ବାହାରିବା ଖବର ଶୁଣିବା ପରେ ଧ୍ୟାନମୁଦ୍ରାରେ ସାରଥୀ ! ଖୁବଶୀଘ୍ର ମୁକୁଳିପାରନ୍ତି ‘ମାନ୍ୟବର’, ସେପଟେ ଜେଲ ଆଗରେ ଲାଗିଲାଣି ଭକ୍ତଙ୍କ ଭିଡ ।

435

କନକ ବ୍ୟୁରୋ : ତିନିଟି ମାମଲାରେ ଜାମିନ ମିଳିବା ପରେ ଜେଲରୁ ମୁକୁଳିବେ ସାରଥୀ ଓରଫ ସନ୍ତୋଷ ରାଉଳ । ଚୌଦ୍ୱାର ଜେଲରେ ବନ୍ଦୀ ଥିବା ବାବା, ଏବେ ଜେଲରୁ ମୁକ୍ତ ହେବା ପାଇଁ ରିଲିଜ୍ ଅର୍ଡରକୁ ଅପେକ୍ଷା କରିଛନ୍ତି । କୋର୍ଟରୁ ଜେଲକୁ ରିଲିଜ୍ ଅର୍ଡର ଆସିଲେ ସାରଥୀ ଯେକୌଣସି ସମୟରେ ମୁକ୍ତ ହେବେ । ଏନେଇ ଚୌଦ୍ୱାର ଜେଲରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେପଟେ ଜେଲର ଜଣେ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ସାରଥୀଙ୍କ ପାଖକୁ ଯେବେଠୁ ଜେଲରୁ ମୁକ୍ତ ହେବା ନେଇ ଖବର ପହଞ୍ଚିଛି, ସେ ଧ୍ୟାନରେ ବସିଛନ୍ତି ।

ସୋମବାର, ସନ୍ଧ୍ୟା ପ୍ରାୟ ୫ଟା । ଚୌଦ୍ୱାର ଜେଲରେ ବନ୍ଦୀ ଥିବା ବାବା ସାରଥୀଙ୍କ ପାଖରେ ଖବର ପହଁଚିଲା, ଖୁବଶୀଘ୍ର ସେ ଜେଲରୁ ମୁକୁଳିବାକୁ ଯାଉଛନ୍ତି । ଖୁସିରେ ଗଦଗଦ ବାବାଙ୍କ ମୁହଁରେ ହସ ଫୁଟିଆସିଲା । ଆଉ ତାପରେ ସଙ୍ଗେ ସଙ୍ଗେ ବାବା ଧ୍ୟାନରେ ବସିଗଲେ । ନା କିଛି ଖାଇଲେ ନା ପିଇଲେ । ଧ୍ୟାନରେ ବସିଗଲେ ସାରଥୀ ।

ବୁଧବାର, ସକାଳ ପ୍ରାୟ ୭ଟା । ଧ୍ୟାନମୁଦ୍ରାରେ ସାରଥୀ । ଜେଲର ଜଣେ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ସକାଳୁ ସକାଳୁ ଗାଧୋଇସାରି ବାବା ଫ୍ରେସ ହୋଇଗଲେ । ସାରଥୀଙ୍କ ଓକିଲ ଜେଲ୍ ଆସି ତାଙ୍କ ଦସ୍ତଖତ ନେଇ କେନ୍ଦ୍ରାପଡା ଦୌରାଜଜଙ୍କ କୋର୍ଟକୁ ଚାଲିଗଲେ । ଆଉ ତାପରେ ସାରଥୀ ପୁଣି ବସିଗଲେ ଧ୍ୟାନରେ । ଗତ ୪ ବର୍ଷ ହେଲା ଜେଲ୍ ଚାରିକାନ୍ଥରେ ବନ୍ଦୀ ଥିବା ବାବା ସାରଥୀଙ୍କ ମୁକୁଳିବା ଖବରରେ ଯେମିତି ନିଦ ଉଡିଯାଇଛି । ସାରଥୀଙ୍କୁ ଭୋକ-ଶୋଷ ବି ହେଉନି । କେତେବେଳେ ଜେଲରୁ ମୁକୁଳିବେ, ସେହି ଅପେକ୍ଷାରେ ରହିଛନ୍ତି ସାରଥୀ ।

ମିଳିଥିବା ସୂଚନା ଅନୁସାରେ, ଜେଲ୍ କଠୋରୀରେ ଲଗାତାର ୨ ଦିନ ହେଲା ଧ୍ୟାନ ମୁଦ୍ରାରେ ବସିଛନ୍ତି ସନ୍ତୋଷ ରାଉଳ ଓରଫ ସାରଥୀ ବାବା । କାହା ସହ କଥା ବି ହେଉନାହାଁନ୍ତି । ଖାଲି ଯାହା ଓକିଲଙ୍କ ସହ ଦିପଦ କଥା ହୋଇଛନ୍ତି । ଅନ୍ୟପଟେ ସାରା ଚୌଦ୍ୱାର ଜେଲକୁ ଏବେ ପୋଲିସ ଘେରି ରହିଛି । ଜେଲ୍ କର୍ତୃପକ୍ଷ ବି ଅପେକ୍ଷା କରିଛନ୍ତି ରିଲିଜ୍ ଅର୍ଡରକୁ । କୋର୍ଟରୁ ଅର୍ଡର ପହଁଚିବା ପରେ କଡା ସୁରକ୍ଷା ମଧ୍ୟରେ ଜେଲରୁ ବାହାରିବେ ସାରଥୀ ।

ଏପଟେ ବାବା ମୁକ୍ତ ହେଉଥିବା ଖବର ଶୁଣି ଜେଲରେ ପହଁଚିଯାଇଛନ୍ତି ସମର୍ଥକ । କେତେବେଳେ ବାବା ବାହାରିବେ ଆଉ ତାଙ୍କ ଗୋଡତଳେ ପଡି ଆଶୀର୍ବାଦ ନେବାକୁ ଅନାଇ ରହିଛନ୍ତି ସାରଥୀ ଭକ୍ତ । ସାରଥୀଙ୍କ ବିରୋଧରେ ଥିବା ତିନିଟି ଯାକ ମାମଲାରେ ତାଙ୍କୁ ଜାମିନ୍ ମିଳିସାରିଛି । ବାବା ଯେକୌଣସି ମୁହୂର୍ତରେ ଜେଲରୁ ବାହାରିବେ । ତେବେ ବାବାଙ୍କ ବାରିମୂଳ ଆଶ୍ରମ ଯିବା ଉପରେ କଟକଣା ଲଗାଇଛନ୍ତି କୋର୍ଟ । ତେଣୁ ବାବା କୁଆଡେ ଯିବେ ଏବଂ କଣ କରିବେ, ତାଉପରେ ରହିଛି ସମସ୍ତଙ୍କ ନଜର ।