କନକ ବ୍ୟୁରୋ: ରୋଜଗାର ଦେଉଛି ପଟ୍ଟଚିତ୍ର କଳା । ନିଜେ ରୋଜଗାରେ କରିବା ସହ ଅନ୍ୟ ମହିଳା ମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ସଫଳ ମହିଳା ସୌଦାମିନୀ । ପାଠପଢା ସାରିବା ପରେ ପଟ୍ଟଚିତ୍ର ତାଲିମ ନେଇ ଆରମ୍ଭ କରିଛନ୍ତି ହସ୍ତଶିଳ୍ପ କେନ୍ଦ୍ର । ସ୍ୱାମୀଙ୍କ ସହଯୋଗରେ ଏହି ଉଦ୍ୟାଗ ଏବେ ଖୁବ୍ ଭଲ ଚାଲିଥିବା କହିଛନ୍ତି ସୌଦାମିନୀ । ନିଜର ଦୃଢ ଇଚ୍ଛ ଶକ୍ତି ବଳରେ ଏହି କଳାରେ ସେ ପାରଙ୍ଗମ ହେବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ପଟ୍ଟଚିତ୍ର ମାଧ୍ୟମରେ ମାସକୁ ଭଲ ଦୁଇ ପଇସା ରୋଜଗାର କରିବା ସହ ନିଜେ ଆତ୍ମନିର୍ଭର ହୋଇପାରିଛନ୍ତି ।

Advertisment

ପଟ୍ଟଚିତ୍ର.. ଏହା ରାଜ୍ୟର ଏକ ପାରମ୍ପାରିକ ଚିତ୍ରକଳା । ତେଣୁ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଚାହିଦା ରହିଛି । ବିକ୍ରି ବଟା ପାଇଁ କୌଣସି ଅସୁବିଧା ହେଉନାହିଁ । ଲୋକେ ଏହି ସବୁ କଳାକୃତି ଗୁଡ଼ିକୁ ଘର ସାଜସଜ୍ଜା କରିବା ପାଇଁ ବେଶ ଆଗ୍ରହର ସହ କିଣି ନେଇଥାଆନ୍ତି । ତେଣୁ ଏହି ବୃତିକୁ ଆପଣାଇ ନେଇଛନ୍ତି ସଫଳ ମହିଳା ଉଦ୍ୟୋଗୀ ସୌଦାମିନୀ । ସୈାଦାମିନୀଙ୍କ ସ୍ୱାମୀ ଶରତ ପ୍ରଧାନ ମଧ୍ୟ ଜଣେ ପ୍ରତିଷ୍ଠିତ ପଟ୍ଟଚିତ୍ର ଶିଳ୍ପୀ । ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଚିତ୍ରକର ହୋଇଥିବା ଯୋଗୁଁ ସଂସାରିକ ଜୀବନରେ କେବେବି ସମସ୍ୟା ସୃଷ୍ଟି ହୋଇନାହିଁ । ଉଭୟ ଚିତ୍ରକର ହୋଇଥିବା ଯୋଗୁଁ ବ୍ୟବସାୟ ଭଲ ଚାଲିଛି ।

ସୈାଦାମିନୀଙ୍କ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରରେ ପ୍ରାୟ ୨୦ରୁ୨୫ ଯୁବତୀ ଆତ୍ମନିର୍ଭର ହୋଇପାରିଛନ୍ତି । ଏଠାରେ କାମ କରି ମାସକୁ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ତେବେ ନିମାପଡ଼ା ଅଂଚଳରେ ସୌଦାମିନୀଙ୍କ ଏପରି ଉଦ୍ୟମ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛି ।