ଆସୋଚାମର ସ୍ଥାପନା ସପ୍ତାହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଦେଶର ସାମୁହିକ ବିକାଶ ପାଇଁ ସରକାର ଜାରି ରଖିଛନ୍ତି ଉଦ୍ୟମ। ବିକାଶର ଧାରା ଜାରି ରଖିବାକୁ ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ରୋଡ ମ୍ୟାପ୍

88

କନକ ବ୍ୟୁରେ : ଆସୋଚାମର ସ୍ଥାପନା ସପ୍ତାହ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶର ସାମୁହିକ ବିକାଶ ପାଇଁ ସରକାର ଯୋଜନାବଦ୍ଧ ଭାବେ ଉଦ୍ୟମ ଜାରି ରଖିଛନ୍ତି । ବିକାଶର ଧାରା ଜାରି ରଖିବାକୁ ସରକାର ନୂଆ ରୋଡ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି  ।

ଆତ୍ମ ନିର୍ଭର ଭାରତ ଦେଶବାସୀଙ୍କର ମୂଳ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ପୂର୍ବରୁ କାହିଁକି ଭାରତ (ହ୍ୱାଏ ଇଣ୍ଡିଆ) ବୋଲି କହୁଥିବା ଲୋକଙ୍କ ମନରେ ଏବେ ଅନେକ ପରିବର୍ତ୍ତନ ହୋଇଛି । ସେମାନେ ଏବେ ହ୍ୱାଏ ନଟ୍ ଇଣ୍ଡିଆ ବା (କାହିଁକି ଭାରତ ନୁହେଁ) ବୋଲି ଚିନ୍ତା କରିବା ପାଇଁ ବାଧ୍ୟ ହେଉଛନ୍ତି । ତେଣୁ ବିକାଶର ଧାରାକୁ ଏହା ସୂଚିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ।

ଭାରତ ତା’ର ଉତ୍ପାଦିତ ସାମଗ୍ରୀକୁ ବିଶ୍ୱ ସ୍ତରରେ ପହଂଚାଇବା ଯୋଜନା ନେଇ ଆଗକୁ ଅଗ୍ରସର ହେଉଛି । ଏବେ ନିଜର ସାମର୍ଥ ଉପରେ ଭରସା ରଖିପାରୁଛି ଭାରତୀୟ ଯୁବକ । ସେ ଆହୁରି କହିଛନ୍ତି କି ଏବେ ଆମର ଧ୍ୟାନ ଉତ୍ପାଦନ ବୃଦ୍ଧି ଉପରେ କେନ୍ଦ୍ରୀଭୂତ ହୋଇ ରହିଛି । ଭାରତର ବିକାଶର ଧାରା ଏବେ ସାରା ବିଶ୍ୱକୁ ଚକିତ କରିଛି । ଦେଶର ବିକାଶ ଏବେ ବିଶ୍ୱରେ ଉଦାହରଣ ସୃଷ୍ଟି କରିବା ସହିତ ଦେଶବାସୀଙ୍କୁ ଏକ ଦୃଢ ଆତ୍ମ ବିଶ୍ୱାସ ଆଣି ଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।