ବିଜ୍ଞାନ ଯୁଗରେ ବି ଲୋଡା ପଡୁ ନାହାନ୍ତି ଡାକ୍ତର, ଦିଶାରୀଙ୍କ ପାଖେ ଲାଗିଛି ଲମ୍ବା ଲାଇନ । ୱାଚମ୍ୟାନରୁ ବାବା ବନିଥିବା ଯୁବକଙ୍କ ଦାବି ଚେରମୂଳି ଦେଇ ମୁଁ ଭଲ କରିଦେବି ବଡ ବଡ ରୋଗ ।

551

କନକ ବ୍ୟୁରୋ: ବିଜ୍ଞାନ ଯୁଗରେ ଚେରମୂଳି ଚିକିତ୍ସା । ଦିଶାରୀ ଦେଉଛନ୍ତି ଦେଶୀ ଔଷଧ । ଆଧୁନିକ ଯୁଗରେ ଅନ୍ଧବିଶ୍ୱାସର ଆଧିପତ୍ୟ । ଆଦିବାସୀ ଇଲାକାରେ ଚାଲିଛି ଜଡିବୁଟି ଚିକିତ୍ସା । ଡାକ୍ତର ନୁହେଁ ବରଂ ରୋଗ ଭଲ ପାଇଁ ଦିଶାରୀଙ୍କ ପାଖରେ ଲାଗିଛି ଲମ୍ବା ଲାଇନ । ପୂଜାର୍ଚ୍ଚନା ଚାଲିଛି, ଧୂପ ଜଳୁଛି ଆଉ ଦେହରେ ସିନ୍ଦୂର ମାରି ଜଣେ ପରେ ଜଣେ ରୋଗୀ ଦେଖୁଛନ୍ତି ୱାଚମ୍ୟାନରୁ ବାବା ବନିଥିବା ଏ ଯୁବକ ଜଣଙ୍କ । ସାଧାରଣ ଜ୍ୱର ଥଣ୍ଡା ନୁହେଁ ବରଂ ଡାଇବେଟିସ, ରକ୍ତଚାପ, ରକ୍ତହୀନତା ଓ କୋଷ୍ଠକାଠିନ୍ୟ ପରି ବଡ ବଡ ରୋଗକୁ ଚେରମୂଳି ଦେଇ ଚୁଟକିରେ ଭଲ କରିଦେଉଥିବା ବାବା ଦାବି କରନ୍ତି । ଡାକ୍ତରଙ୍କ ଠାରୁ ସେ ଭଲ ଚିକିତ୍ସା ଦେଉଥିବା ସହ ରୋଗୀଙ୍କୁ ନପଚାରି ତାଙ୍କ ରୋଗ ଜାଣି ପାରୁଥିବା ଯୁକ୍ତି ବାଢିଛନ୍ତି ମାଲକାନଗିରି ମାଥିଲି ବ୍ଲକର ବାବା ରାମ କବାସୀ ।

ତେବେ ରାମ କବାସୀ ଆଦିବାସୀ ମୁଲକର ଜଣେ ଶିକ୍ଷିତ ଯୁବକ । ଯୁକ୍ତ ୩ ପାସ ପରେ ସେ ମାଥିଲି ଆଦର୍ଶ ବିଦ୍ୟାଳୟରେ ୱାଚମ୍ୟାନ ଭାବେ କାମ କରୁଥିଲେ । ପାଠଶାଠ ପଢିଥିବାରୁ ରୋଗୀଙ୍କ ପ୍ରେସକିପସନ ଦେଖି ପରେ ଜଙ୍ଗଲର ଚେରମୂଳି ଦେଇ ଲୋକଙ୍କୁ ଚିକିତ୍ସା କରୁଛନ୍ତି । ଲୋକ ବି ମେଡିକାଲ ନଯାଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏ ଦିଶାରୀଙ୍କ ପାଖରେ ଭିଡ ଜମାଇଛନ୍ତି ।

ସେପଟେ କରୋନା କାଳରେ ସବୁ କଟକଣାକୁ ଫୁ କରିଛନ୍ତି ଏ ଯୁବ ବାବା ଜଣଙ୍କ । ନା କାହା ମୁହଁରେ ଅଛି ମାସ୍କ ନା କେହି ରଖିଛନ୍ତି ସାମାଜିକ ଦୂରତା । ଚିକିତ୍ସା ଆଳରେ କରୋନକୁ ଡାକୁଥିବା ବାବାଙ୍କ ଏ କାରନାମା ଏବେ ଚର୍ଚ୍ଚାକୁ ଆସିଛି । ତେବେ ଅନ୍ଧବିଶ୍ୱାସକୁ କନକ ନ୍ୟୁଜ୍ ପ୍ରଶ୍ରୟ ଦିଏନାହିଁ । କୌଣସି ଘଟଣାକୁ ଆଖିବୁଜି ବିଶ୍ୱାସ କରିବା ପୂର୍ବରୁ ତାହାର ସତ୍ୟାସତ୍ୟ ପରଖିବା ଉପରେ ଧ୍ୟାନ ଦେବାକୁ ଅନୁରୋଧ ।