କିଏ ଧରିବେ କଂଗ୍ରେସ କମାଣ ? ଓଡିଶାରେ ହୋଇପାରିଲାନି ସମାଧାନ । ପ୍ରଭାରୀଙ୍କ ରିପୋର୍ଟ ପରେ ଦିଲ୍ଲୀ ଡାକିଲେ ହାଇକମାଣ୍ଡ ।

173

କନକ ବ୍ୟୁରୋ: ଓଡିଶାରେ କଂଗ୍ରେସର ମଙ୍ଗ କିଏ ଧରିବ ତାହା ଓଡିଶା ପ୍ରଭାରୀ ଚେଲା କୁମାରଙ୍କ ଗସ୍ତରେ ସମାଧାନ ବାହାରିପାରିଲା ନାହିଁ । କୌଣସି ନେତାଙ୍କ ସପକ୍ଷରେ ଏକମତ ହୋଇପାରିଲେ ନାହିଁ କଂଗ୍ରେସ ନେତା । ଆଉ ଏଭଳି ସ୍ଥିତିରେ ମାମଲା ଏବେ ଦିଲ୍ଲୀ ଦରବାରରେ ପହଞ୍ଚିଛି । କଂଗ୍ରେସ ବିଧାୟକଙ୍କୁ ଆସିଲା ଦିଲ୍ଲୀରୁ ଡାକରା । ଓଡିଶା ପ୍ରଭାରୀଙ୍କ ରିପୋର୍ଟ ପରେ ଡାକିଲେ ହାଇକମାଣ୍ଡ ।

ଓଡିଶା ପିସିସିର ନୂଆ ସଭାପତି ଘୋଷଣା ପୂର୍ବରୁ ରାଜ୍ୟ କଂଗ୍ରେସରେ ହଲଚଲ ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକଙ୍କ ପାଖକୁ ଦିଲ୍ଲୀରୁ ହାଇକମାଣ୍ଡଙ୍କ ଡାକରା ଆସିଛି । ପିସିସି ସଭାପତି ପାଇଁ ଏକାଧିକ ନେତା ଆଶାୟୀ ଥିବାରୁ ନା ଘୋଷଣାରେ ଡେରି ହେଉଥିବା କୁହାଯାଉଛି । ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବା ଭଳି ନେତା ବାଛିବା ପାଇଁ ଆସନ୍ତା ୯ ତାରିଖରେ ବିଧାୟକଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ବୈଠକରେ ନୂଆ ସଭାପତି ଚୟନ ଓ ସାଙ୍ଗଠନିକ ଆମୂଳଚୂଳ ପରିବର୍ତ୍ତନ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।

ଗତ ସପ୍ତାହରେ ଓଡିଶା ପ୍ରଭାରୀ ଚେଲା କୁମାର ଓଡିଶା ଆସି ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ମତ ନେଇଥିଲେ, ଏହାପରେ ପିସିସି ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଥିଲା । ଏପରି କି କିଛି କଂଗ୍ରେସ ନେତା ଦିଲ୍ଲୀ ଯାଇ ଲବି କରିଥିବା ଚର୍ଚ୍ଚା ମଧ୍ୟ ଶୁଣିବାକୁ ମିଳିିଛି । ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇସାରିଲେଣି । ପିସିସି ସଭାପତି ନେଇ ଜଣଙ୍କ ନାଁ ଚର୍ଚ୍ଚା ହେବା ପରେ ନରସିଂହ ମିଶ୍ର ଓ ତାରା ପ୍ରସାଦ ବାହିନୀପତି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହାକୁ ଏକ ପ୍ରତିବାଦ ବୋଲି ମଧ୍ୟ ଦେଖା ଯାଉଛି । ଏଭଳି ସ୍ଥିତିରେ ହାଇକମାଣ୍ଡ ରାଜ୍ୟ କଂଗ୍ରେସର ନେତୃତ୍ୱ କାହା ହାତରେ ଦେବେ, ହୁଏତ ବିଧାୟକଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହୋଇପାରେ ।