ଜବତ ନକଲି ସାମଗ୍ରୀ ମାଟିରେ ମିଶିଲା : ସ୍କ୍ବାସ୍‌, ସସ୍‌ ଓ ଆଚାର ବୋତଲ ଉପରେ ରୋଲର୍‌ ମଡ଼ାଇ କରାଗଲା ନଷ୍ଟ

66

କନକ ବ୍ୟୁରୋ : ଗତ ଦୁଇମାସ ଭିତରେ କମିସନରେଟ୍‌ ପୁଲିସ ଜଗତପୁର ଶିଳ୍ପାଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ନକଲି ଘିଅ, ସ୍କ୍ବାସ୍‌, ସସ୍‌ ଓ ଆଚାର ପ୍ରଭୃତି ଜବତ କରିଥିଲା । ସୁବାସ କମ୍ପାନିରୁ ଜବତ କରାଯାଇଥିବା ସାମଗ୍ରୀ ସବୁକୁ ରବିବାର ସିଏମ୍‌ସି ସ୍ବାସ୍ଥ୍ୟବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପୁଲିସ ନଷ୍ଟ କରିଦେଇଛି । ଘିଅକୁ ମାଟିତଳେ ପୋତାଯାଇଥିବାବେଳେ ସ୍କ୍ବାସ୍‌, ସସ୍‌ ଓ ଆଚାର ବୋତଲ ଉପରେ ରୋଲର୍‌ ମଡ଼ାଇ ନଷ୍ଟ କରି ଦିଆଯାଇଛି । ଅଦାଲତଙ୍କ ଅନୁମତି ପରେ ସେ ସବୁକୁ ନଷ୍ଟ କରାଯାଇଥିବା ଜଣାପଡ଼ିଛି ।

ରବିବାର ମଧ୍ୟାହ୍ନରେ ଜଗତପୁର ନୂତନ ଶିଳ୍ପାଞ୍ଚଳସ୍ଥିତ ସୁବାସ ଘିଅ କାରଖାନା ପରିସରରେ କମିସନରେଟ୍‌ ପୁଲିସର କଟକ ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡା, ଜଗତପୁର ଆଇଆଇସି ରବୀନ୍ଦ୍ରନାଥ ମେହେର, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ଓ ଖାଦ୍ୟ ସୁରକ୍ଷା ନିରୀକ୍ଷକ ଭଗବାନ ଲେଙ୍କା ପ୍ରମୁଖ ପହଞ୍ଚିଥିଲେ । ସେମାନଙ୍କ ଉପସ୍ଥିତିରେ ଜବତ କରାଯାଇଥିବା ବିପୁଳ ପରିମାଣର ଘିଅକୁ ମାଟିତଳେ ପୋତିଦିଆଯିବା ସହ ରୋଲର ଓ ଜେସିବି ଦ୍ୱାରା ଅପମିଶ୍ରିତ ସ୍କ୍ବାସ୍‌, ସସ୍‌ ଓ ଆଚାର ବୋତଲକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୩୦ ତାରିଖରେ କମିସନରେଟ ପୁଲିସ ପକ୍ଷରୁ ଏଠାରେ ଚଢ଼ାଉ କରାଯାଇ ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଘିଅ, ରିଫାଇନ୍‌ ତେଲ, ଆଚାର, ସ୍କ୍ବାସ୍‌ ଓ ସସ୍‌ ସହିତ ଯନ୍ତ୍ରାଂଶଗୁଡ଼ିକୁ ଜବତ କରାଯାଇ କାରଖାନାକୁ ସିଲ କରାଯାଇଥିଲା। ଜବତ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଲବୋରେଟୋରିକୁ ପଠାଯାଇଥିଲା । ପରୀକ୍ଷାରେ ସେଗୁଡ଼ିକ ଅପମିଶ୍ରିତ ବୋଲି ପ୍ରମାଣିତ ହେବାପରେ ସେ ସବୁକୁ ନଷ୍ଟ କରିବା ପାଇଁ କମିସନରେଟ ପୁଲିସ ଅଦାଲତରେ ଆବେଦନ କରାଯାଇଥିଲା । ଅଦାଲତଙ୍କ ଅନୁମତି ମିଳିବା ପରେ ସେସବୁକୁ ନଷ୍ଟ କରାଯାଇ ମାଟିରେ ମିଶାଇ ଦିଆଯାଇଥିବା ସୂଚନା ମିଳିଛି ।