ଜଳେଶ୍ୱରରୁ ୧ କିଲୋ ବ୍ରାଉନ ସୁଗାର ଜବତ, ଜଣେ ଗିରଫ : ବିଳମ୍ବିତ ରାତିରେ ଝାଡ଼େଶ୍ୱରପୁରରେ ଚଢ଼ାଉ କଲା ଭୁବନେଶ୍ୱର ଏସଟିଏଫର ୧୨ ଜଣିଆ ଟିମ୍

ଜବତ ବ୍ରାଉନସୁଗାର ମୂଲ୍ୟ ୧କୋଟିରୁ ଅଧିକ 

89

କନକ ବ୍ୟୁରୋ : ବାଲେଶ୍ୱର ଜଳେଶ୍ୱରରୁ ୧ କିଲୋ ବ୍ରାଉନ ସୁଗାର ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରାଯାଇଛି । ବିଳମ୍ବିତ ରାତିରେ ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡ଼େଶ୍ୱରପୁର ଅଂଚଳରେ ଭୁବନେଶ୍ୱର ଏସଟିଏଫର ୧୨ ଜଣିଆ ଟିମ୍ ଚଢ଼ାଉ କରିଥିଲେ । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗିରଫ ହୋଇଥିବା ଯୁବକ ଜଣକ ଝାଡ଼େଶ୍ୱରପୁର ଅଂଚଳର ଶେଖ ମୁନାଫ ହୁସେନ ।

ମିଳିଥିବା ସୂଚନା ମୁତାବକ, ଭୁବନେଶ୍ବରରୁ ଏସ୍‌ଟିଏଫ୍‌ ଟିମ୍‌ ଗତକାଲିଠାରୁ ଜଳେଶ୍ବରରେ ଆସି ଡେରା ପକାଇଥିଲେ । ଏ ଅଞ୍ଚଳରେ ବ୍ରାଉନ୍‌ସୁଗାର୍‌ କାରବାରର ପେଣ୍ଠସ୍ଥଳ ସାଜିଥିବା ଜଳେଶ୍ବର ଗ୍ରାମାଞ୍ଚଳର ରାଜପୁର ଏବଂ କୌରଅଞ୍ଚଳର ଝାଡ଼େଶ୍ବରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୋର୍‌ଦାର ଚଢ଼ଉ କରିଥିଲେ । ତେବେ ମିଶନ୍‌ ସଫଳ ନହେବାରୁ ଟିମ୍‌ ବାଲ୍ବେଶ୍ବର ଫେରି ଆସିଥିଲେ ।

ଆଜି ସଂଧ୍ୟାରେ ପୁଣି ସେଠାକୁ ଯାଇ ଝାଡ଼େଶ୍ବରପୁର ଗ୍ୟାରେଜବଜାରରେ ଥିବା ସେଖ୍‌ ମଙ୍ଗଲୁ ଘରେ ଅଚାନକ ଚଢ଼ଉ କରିଥିଲେ । ମଙ୍ଗଲୁ ଘରୁ ୧ କେଜି ୫୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ତାଙ୍କ ପୁଅ ମୁନାକୁ ଧରି ଏସ୍‌ଟିଏଫ୍‌ ଟିମ୍‌ ଭୁବନେଶ୍ବର ନେଇ ଯାଇଥିଲେ । ଚଢ଼ଉ ଟିମ୍‌ରେ ଏସ୍‌ଟିଏଫ୍‌ର ୧୨ ଜଣିଆ ଟିମ୍‌ ସାମିଲ୍‌ ଥିବା ବେଳେ ମାଜିଷ୍ଟ୍ରେଟ୍‌ ଇନ୍‌ଚାର୍ଜ ତଥା ଜଳେଶ୍ବର ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ୍‌, ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଏବଂ ଜଳେଶ୍ବର ଥାନାର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।