କନକ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବିଶ୍ୱକପ ମହାସମର । ଲିଗ ମ୍ୟାଚ ପରେ ଏବେ ଆରମ୍ଭ ହେବ ସେମିଫାଇନାଲ୍ । ଚଳିତ ବିଶ୍ୱକପରେ ଭାରତ ଲିଗ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚରେ ପରାଜିତ ନହୋଇ ସେମିରେ ପ୍ରବେଶ କରିଛି । ଏବେ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ । ସେହିପରି ଶେଷ ଲିଗ ମ୍ୟାଚରେ ଭାରତ ନେଦରଲାଣ୍ଡକୁ ୧୬୦ ରନର ବଡ ବ୍ୟବଧାନରେ ପରାଜିତ କରିଛି । ଏହି ମ୍ୟାଚରେ ଭାରତର ୨ ଖେଳାଳିଙ୍କୁ ଛାଡି ଆଉ ସମସ୍ତେ ବୋଲିଂ କରିଥିଲେ । ଏମିତି କି ରୋହିତ ଆଉ କୋହଲି ବୋଲିଂ କରି ଗୋଟିଏ ଲେଖାଏଁ ୱ୍ିକେଟ ବି ନେଇଥିଲେ ।

Advertisment

ରୋହିତ-କୋହଲିଙ୍କ ସାନଦାର ବୋଲିଂ ପରେ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ଏକ ଟ୍ୱିଟ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ରୋହିତ ଓ ବିରାଟଙ୍କ ବୋଲିଂକୁ ପ୍ରଶଂସା କରି ସେହୱାଗ ଏହି ଟ୍ୱିଟ କରିଥିଲେ । ସେ ନିଜ ଟ୍ୱିଟରେ ରୋହିତ ଓ କୋହଲିଙ୍କ ଫଟୋ ସେୟାର କରି ଲେଖିଥିଲେ, ଏହି ଦୁଇ ୱିକେଟ ଦିପାବଳୀର ଶ୍ରେଷ୍ଠ ଗିଫ୍ଟ । ଏହି ୯-୦ ଆଗାମୀ ସପ୍ତାହରେ ୧୧-୦ ହେବା ଦରକାର । ଏଥିପାଇଁ ଆପଣମାନଙ୍କୁ ଶୁଭକାମନା ଆଉ ଶୁଭ ଦିପାବଳୀ ।

ଦିନିକିଆରେ ବହୁ ଦିନ ପରେ ରୋହିତ ଓ କୋହଲିଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଛି । ପୂର୍ବରୁ ମୈଦାନରେ ବୋଲିଂ କରି ବିରୋଧୀଙ୍କୁ ଚକମା ଦେଇଥିବାରୁ ନଜରି ବି ରହିଛି । ତେବେ ବିଶ୍ୱକପରେ ପ୍ରଥମ ଥର ପାଇଁ ବୋଲିଂ କରି ଏହି ଯୋଡି ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି । ସେହିପରି ରୋହିତ, କୋହଲିଙ୍କ ବ୍ୟତୀତ ଶୁଭମନ ଗିଲ ଓ ସୂର୍ଯ୍ୟକୁମାର ଯାଦବ ବୋଲିଂ କରିଥିଲେ । ଏହି ଦୁଇ ଖେଳାଳି ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମଥର ପାଇଁ ବୋଲିଂ କରିଥିଲେ । ଯଦି ରୋହିତ-କୋହଲିଙ୍କ ବୋଲିଂ କ୍ୟାରିୟରର ଉପରେ ନଜର ପକାଇବା ତେବେ ବିରାଟ କୋହଲି ଦିନିକିଆରେ ୨୯୦ ମ୍ୟାଚ ଖେଳି ୬୮୦ ରନ ବ୍ୟୟରେ ୫ ୱିକେଟ ନେଇଛନ୍ତି । ସେହିପରି ରୋହିତ ଶର୍ମା ୨୬୦ ମ୍ୟାଚରେ ୫୨୨ ରନ ଦେଇ ୯ ୱିକେଟ ହାସଲ କରିଛନ୍ତି ।

ତେବେ ଚଳିତ ବିଶ୍ୱକପ ଭାରତ ପାଇଁ ବେଶ ଭଲ ରହିଛି । ଦଳ ଏଯାଏଁ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇନି । ଏହାସହ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ବୁଧବାର ଦିନ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ । ଗତ ବିଶ୍ୱକପ ସେମିଫାଇନାଲରେ ବି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଥିଲା । ଏଥର ବିଶ୍ୱକପ ସେମିରେ ବି ଏହି ଦୁଇ ଦଳ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେଣୁ ଏଥର ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପୂର୍ବ ବିଶ୍ୱକପର ବଦଲା ନେବାକୁ ଚାହିଁବ । ତେଣୁ ଏହି ମ୍ୟାଚ ଉପରେ ରହିବ ସମସ୍ତଙ୍କ ନଜର ।