ଆଇପିଏଲ ପୂର୍ବରୁ ସେହୱାଗଙ୍କ ଭବିଷ୍ୟବାଣୀ । ଏହି ଟିମ୍ ହୋଇପାରେ ଚାମ୍ପିୟନ ।

323

କନକ ବ୍ୟୁରୋ : ଆଜିଠୁ ୟୁଏଇରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ପ୍ରଥମ ମୁକାବିଲା ଦେଖିବାକୁ ମିଳିବ । ତେବେ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କେଉଁ ଦଳ ଆଇପିଏଲ ଚାମ୍ପିୟନ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏସବୁ ଭିତରେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ବଡ ଭବିଷ୍ୟବାଣୀ କରିଛନ୍ତି । ଦୁବାଇର ସ୍ଥିତିକୁ ଦୃଷ୍ଟିରେ ରଖି ବିସ୍ପୋରକ ବ୍ୟାଟସମ୍ୟାନ ଭାବେ ଜଣାଶୁଣା ସେହୱାଗ ୨ଟି ଟିମକୁ ଟାଇଟାଲ ଦାବିଦାର ବୋଲି କହିଛନ୍ତି । ଆଉ ଏହି ୨ଟି ଟିମ୍ ଭିତରେ ମୁମ୍ବାଇ ଇଣ୍ଡିଆନ୍ସ ସେହୱାଗଙ୍କ ପ୍ରଥମ ପସନ୍ଦର ଟିମ୍ ଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଟାଇଟଲ ଦୌଡରେ ଆଗରେ ଥିବା ସେ କହିଛନ୍ତି ।

ମୁମ୍ବାଇ ଓ ଦିଲ୍ଲୀ ଉଭୟ ଟାଇଟଲ ଦୌଡରେ ରହିବେ ବୋଲି ସେହୱାଗ କହିଛନ୍ତି । ଏହାଛଡା ୫ଥରର ଚାମ୍ପିୟନ ମୁମ୍ବାଇ ଏହି ରେସରେ ଟିକିଏ ଆଗରେ ରହିବ । ପ୍ରଥମ ପର୍ଯ୍ୟାୟ ମ୍ୟାଚରେ ଚେନ୍ନାଇ ଆଗରେ ରହିଥିଲା ଏବଂ ଦଳର ହାରାହାରି ସ୍କୋର ୨୦୧ ଥିଲା । କିନ୍ତୁ ଦୁବାଇ ପିଚରେ ଏଭଳି ଦେଖିବାକୁ ମିଳିନପାରେ । ୟୁଏଇରେ ଚେନ୍ନାଇର ବ୍ୟାଟିଂ ଉପରେ ଏହା ଯଥେଷ୍ଟ ପ୍ରଭାବ ପକାଇବ । ତେଣୁ ଯଦି କୌଣସି ଗୋଟିଏ ଟିମ୍ ଅଡୁଆ ସୃ୍ଷ୍ଟି କରିପାରେ ତେବେ ତାହା ମୁମ୍ବାଇ ଇଣ୍ଡିଆନ୍ସ ବୋଲି କହିଛନ୍ତି ସେହୱାଗ ।

ପୂର୍ବରୁ ଆଇପିଏଲ ଖେଳିଥିବା ସେହୱାଗ ଦିଲ୍ଲୀ ଡେୟାର ଡେଭିଲ୍ସର ଅଧିନାୟକ ମଧ୍ୟ ରହି ସାରିଛନ୍ତି । ତେବେ ଦଳକୁ ଚାମ୍ପିୟନ କରିବାରେ ସେହୱାଗ ସଫଳ ହୋଇନାହାନ୍ତି । ଗତ ସିଜିନରେ ଦଳ ଚାମ୍ପିୟନ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ତେଣୁ ଏଥର ଦିଲ୍ଲୀ ଯେଉଁଭଳି ଦମଦାର ପ୍ରଦର୍ଶନ କରୁଛି ତାହା ଦଳକୁ ଚାମ୍ପିୟନ କରାଇପାରେ । ଏହାବାଦ୍ ଏହି ଆଇପିଏଲ ମାଧ୍ୟମରେ କିଛି ଖେଳାଳୀଙ୍କୁ ଟି-୨୦ ବିଶ୍ୱକପ୍ ପାଇଁ ମଧ୍ୟ ଟିକେଟ ମିଳିପାରେ । ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲେ ମଧ୍ୟ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବା ପାଇଁ ଆଇପିଏଲ ବଡ ସୁଯୋଗ ପାଲଟିପାରେ । ଯେହେତୁ ଖେଳାଳୀ ବଦଳାଇବା ପାଇଁ ଆଇସିସି ସୁଯୋଗ ଦେଉଛି ତେଣୁ ଭାରତୀୟ ଟି-୨୦ ବିଶ୍ୱକପ ଦଳରେ ପୁଣିଥରେ ପରିବର୍ତ୍ତନ ହୋଇପାରେ ବୋଲି କହିଛନ୍ତି ସେହୱାଗ ।