କନକ ବ୍ୟୁରୋ : ବିଶ୍ୱକପକୁ ନେଇ ପୂର୍ବତନ ଭାରତୀୟ ବିସ୍ପୋରକ ବ୍ୟାଟର ବୀରେନ୍ଦ୍ର ସେହୱାଗ ବଡ ବୟାନ ଦେଇଛନ୍ତି । ଖାସକରି ଟିମ୍ ଇଣ୍ଡିଆର ପ୍ରଦର୍ଶନ ଓ ଭରସାଯୋଗ୍ୟ ବ୍ୟାଟର ବିରାଟ କୋହଲିଙ୍କୁ ନେଇ ସେହୱାଗ ଦେଇଛନ୍ତି ମନ ଜିଣିଲା ଭଳି ବୟାନ । ସେହୱାଗ କହିଛନ୍ତି, ୨୦୧୧ରେ ଯେତେବେଳେ ଭାରତ ବିଶ୍ୱକପ ଜିତିଲା ସେତେବେଳେ ଟିମର ସମସ୍ତ ଖେଳାଳୀ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ ନିଜ କାନ୍ଧ ଉପରେ ଉଠାଇବା ସହ ପୂରା ପଡିଆ ବୁଲାଇ ସମ୍ମାନିତ କରିଥିଲେ । ସେତେବେଳେ ବିରାଟ କହିଥିଲେ, ସଚିନ୍ ଅତି କମ ବୟସରେ ଟିମ୍ ଇଣ୍ଡିଆର ଦାୟିତ୍ୱ ନିଜ କାନ୍ଧରେ ନେଇଥିଲେ । ତେଣୁ ଏହି ବିଶ୍ୱବିଜୟୀ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିବାକୁ ସଚିନଙ୍କୁ ନିଜ କାନ୍ଧ ଉପରେ ଉଠାଇବା ଆମର ଦାୟିତ୍ୱ ବୋଲି କହିଥିଲେ କୋହଲି ।

Advertisment

ସେହୱାଗ କହିଛନ୍ତି, ବିରାଟ କୋହଲି ଟିମ୍ ପାଇଁ ଯଥେଷ୍ଟ ରନ୍ କରିଛନ୍ତି । ଆମର ଆଶା ଅଛି ଚଳିତ ବିଶ୍ୱକପରେ କୋହଲି ଭାରତ ପାଇଁ ରନର ବର୍ଷା କରିବେ । ଆମର ପୂରା ବିଶ୍ୱାସ ଯେ, ଚଳିତ ବିଶ୍ୱକପରେ କୋହଲି ସର୍ବାଧିକ ଶତକ ମାରିବା ସହ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିବେ । ସେହୱାଗ କହିଛନ୍ତି, ବିରାଟ କୋହଲି ସେତେବେଳେ ସଚିନଙ୍କ ପାଇଁ ଯାହା କହିଥିଲେ ଏବେ ସମୟ ଆସିଛି କୋହଲିଙ୍କୁ ବି ସେହି ସମ୍ମାନ ମିଳୁ । ମୁଁ ବ୍ୟକ୍ତିଗତ ଭାବେ ଚାହୁଁଛି ଯେ, ଭାରତ ବିଶ୍ୱକପ ଜିତିବା ପରେ ସମସ୍ତ ଖେଳାଳୀ ବିରାଟ କୋହଲିଙ୍କୁ ନିଜ କାନ୍ଧ ଉପରେ ବସାଇ ପୂରା ପଡିଆ ବୁଲନ୍ତୁ । କୋହଲିଙ୍କୁ ଏଭଳି ସମ୍ମାନ ଦେବା ନିହାତି ଆବଶ୍ୟକ ।

ସେହୱାଗ କହିଛନ୍ତି, କୋହଲି ଏବେ ବି ସେହି ଜୋଶର ସହ ପଡିଆକୁ ଓହ୍ଲାନ୍ତି । ୩୪ ବର୍ଷର କୋହଲି ପଡିଆରେ ୨୦ ବର୍ଷର ଖେଳାଳୀ ଭଳି ଲାଗନ୍ତି । ବିରାଟଙ୍କ ମଧ୍ୟରେ ଯେଉଁ ଉର୍ଜା ଓ ରନ୍ ସ୍କୋର କରିବାର ଭୋକ ଦେଖିଛି ତାହା ଅନ୍ୟ ଖେଳାଳୀଙ୍କ ଠାରେ ଦେଖିବାକୁ ମିଳେ ନାହିଁ ବୋଲି ସେହୱାଗ କହିଛନ୍ତି । ଚଳିତ ବିଶ୍ୱକପରେ ବିରାଟ ସର୍ବାଧିକ ରନ୍ ସ୍କୋରର ଭାବେ ଉଭା ହେବେ । ଏହା ବିରାଟଙ୍କର ଚତୁର୍ଥ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ । ତେଣୁ କୋହଲିଙ୍କ ଅନୁଭବ ତାଙ୍କୁ ବିଶ୍ୱକପରେ ବଡ ସ୍କୋର କରିବାରେ ସହାୟତା କରିବ । ଏହାଛଡା ଚଳିତ ବିଶ୍ୱକପରେ ସଚିନଙ୍କ ଶତକ ରେକର୍ଡ ଭାଙ୍ଗିବାର ସୁଯୋଗ ମଧ୍ୟ କୋହଲିଙ୍କ ନିକଟରେ ରହିଛି । ଚଳିତ ବିଶ୍ୱକପରେ କୋହଲି ୩ଟି ଶତକ ମାରିଲେ ଦିନିକିଆରେ ସଚିନଙ୍କ ନାଁରେ ଥିବା ସର୍ବାଧିକ ଶତକ ରେକର୍ଡ ଭାଙ୍ଗିବେ । କୋହଲି ଏବେ ଦିନିକିଆରେ ୪୭ଟି ଶତକ ହାସଲ କରିଛନ୍ତି ।

ଅନ୍ୟପଟେ ସେହୱାଗ କହିଛନ୍ତି, ଏବେ ଭାରତୀୟ ଦଳର ମଙ୍ଗ ଧରିଥିବା ରୋହିତ ଶର୍ମା ୨୦୧୧ ବିଶ୍ୱକପ ଟିମରେ ସ୍ଥାନ ପାଇନଥିଲେ । କିନ୍ତୁ ଏହାପରେ ରୋହିତ ଦିନିକିଆ କ୍ରିକେଟରେ ସବୁଠୁ ଘାତକ ବ୍ୟାଟର ଭାବେ ଉଭା ହୋଇଛନ୍ତି । ରୋହିତ ନିଜର ଧୂଆଁଧାର ଇନିଂସ ପାଇଁ ବିଶ୍ୱ କ୍ରିକେଟରେ ଏକ ପରିଚିତ ଚେହେରା ପାଲଟି ସାରିଛନ୍ତି । ରୋହିତଙ୍କ ନେତୃତ୍ୱରେ ଭାରତ ପାଖରେ ବିଶ୍ୱକପ ଜିତିବାର ସୁଯୋଗ ରହିଛି । ଭାରତ ଏହି ବିଶ୍ୱକପରେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ । କାରଣ ହୋମଗ୍ରାଉଣ୍ଡରେ ବିଶ୍ୱକପ ଖେଳୁଛି ଟିମ୍ ଇଣ୍ଡିଆ ।