ବିଶ୍ୱକପ ପରେ ପଦ ଛାଡିପାରନ୍ତି ଶାସ୍ତ୍ରୀ,  ମୁଖ୍ୟ କୋଚ୍ ପାଇଁ ସେହୱାଗଙ୍କ ନାଁକୁ ନେଇ ବଢୁଛି ଚର୍ଚ୍ଚା ।

ସେହୱାଗ ହେବେ କି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍?

180

କନକ ବ୍ୟୁରୋ : ଆସନ୍ତା ମାସରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ । ଆଉ ୟୁଏଇରେ ଟି-୨୦ ବିଶ୍ୱକପ ହେଉଥିବାରୁ କୋହଲିଙ୍କ ପାଖରେ ଆଇସିସି ଟ୍ରଫି ଜିତିବାର ଯଥେଷ୍ଟ ସୁଯୋଗ ରହିଛି । ଏହାସହ ଟି-୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆରେ ବଡ ଧରଣର ପରିବର୍ତ୍ତନ କରିପାରେ ବିସିସିଆଇ । ଏପରିକି ଟି-୨୦ ବିଶ୍ୱକପ ନ ଜିତିଲେ କୋହଲିଙ୍କ ହାତରୁ ଅଧିନାୟକ ପଦ ଯାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଶ୍ୱକପ ପରେ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ପଦ ଛାଡିପାରନ୍ତି ବୋଲି କୁହାଯାଉଛି ।  ଟି-୨୦ ବିଶ୍ୱକପ ପରେ ମୁଖ୍ୟ କୋଚ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶାସ୍ତ୍ରୀ ନିଜର କାର୍ଯ୍ୟକାଳ ନ ବଢାଇବାକୁ ବିସିସିଆଇକୁ ମନା କରିଛନ୍ତି । ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆର ନୂଆ କୋଚ୍ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ପୂର୍ବ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କ ନାଁ ମୁଖ୍ୟ କୋଚ୍ ରେସରେ ଥିଲା ।  କିନ୍ତୁ ଜାତୀୟ କ୍ରିକେଟ ଆକେଡମୀର ମୁଖ୍ୟ ପାଇଁ ଦ୍ରାବିଡ ପୁନଃ ଆବେଦନ କରିଥିବାରୁ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ ପଦରୁ ନିଜକୁ ଏକପ୍ରକାର ଦୂରେଇ ଦେଇଥିବା ସଂକେତ ମିଳିଛି । ତେଣୁ ଏହି ସ୍ଥାନରେ କାହାକୁ ବିସିସିଆଇ ଚୟନ କରିବା ତାହା ଏବେ ସବୁଠୁ ବଡ ପ୍ରଶ୍ନ ପାଲଟିଛି । ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡର ପୂର୍ବତନ କୋଚ୍ ମାଇକ ହେସନଙ୍କ ନାଁ ସାମ୍ନାକୁ ଆସିଛି । ହେସନ ପୂର୍ବଥର ମଧ୍ୟ ଟିମ୍ ଇଣ୍ଡିଆର କୋଚ୍ ପଦ ପାଇଁ ଆବେଦନ କରିଥିଲେ । ତାଙ୍କ ପ୍ରଶିକ୍ଷଣରେ ନ୍ୟୁଜିଲାଣ୍ଡ ଦଳ ୨୦୧୫ରେ ବିଶ୍ୱକପ ଫାଇନାଲ ଖେଳିଥିଲା । କିନ୍ତୁ ଶେଷ ସମୟରେ ରବି ଶାସ୍ତ୍ରୀଙ୍କ ନାଁରେ ମୋହର ମାରିଥିଲା ବିସିସିଆଇ । ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଯୋଡି ହୋଇ ରହିଥିବାରୁ ଏଥର ବିରାଟ କୋହଲିଙ୍କ ପ୍ରଥମ ପସନ୍ଦ ପାଲଟିପାରନ୍ତି ମାଇକ ହେସନ ।

ସେହିଭଳି ମୁଖ୍ୟ କୋଚ୍ ପାଇଁ ପ୍ରବଳ ଦାବିଦାର ରହିଛନ୍ତି ପୂର୍ବତନ ଭାରତୀୟ ଖେଳାଳୀ ବୀରେନ୍ଦ୍ର ସେହୱାଗ । ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ଥିବା ସେହୱାଗ ମଧ୍ୟ ଏହି ରେସରେ ଆଗରେ ରହିଛନ୍ତି । ଏହାପୂର୍ବରୁ ମଧ୍ୟ ସେହୱାଗ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିଥିଲେ । ଏହାଛଡା ବିସିସିଆଇର ସଭାପତି ଥିବା ସୌରଭ ଗାଙ୍ଗୁଲିଙ୍କ ଅତି ଘନିଷ୍ଠ ବନ୍ଧୁ ଭାବେ ମଧ୍ୟ ସେହୱାଗ ଜଣାଶୁଣା । ଏକାସଙ୍ଗରେ ଗାଙ୍ଗୁଲି ଓ ସେହୱାଗ କ୍ରିକେଟ ମଧ୍ୟ ଖେଳିଛନ୍ତି । ତେଣୁ ସେହୱାଗଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହୱାଗଙ୍କୁ ମୁଖ୍ୟ କୋଚ୍ ଭାବେ ବିସିସିଆଇ ବାଛିଲେ ଭାରତର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହେବ ।

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ଆଶାୟୀ ଥିବା ବ୍ୟକ୍ତିଙ୍କ ତାଲିକାରେ ଟମ ମୁଡିଙ୍କ ନାଁ ମଧ୍ୟ ଉପରେ ରହିଛି । ପୂର୍ବରୁ ରବି ଶାସ୍ତ୍ରୀଙ୍କୁ ଯେତେବେଳେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ କରାଗଲା ସେତେବେଳେ ଚୟନ ବେଳେ ଟମ୍ ମୁଡି ହିଁ କଡା ଟକ୍କର ଦେଇଥିଲେ । କିନ୍ତୁ ଶୀର୍ଷ ସ୍ତରରେ ମାନସ ମନ୍ଥନ ପରେ ଟମ ମୁଡିଙ୍କ ବଦଳରେ ଶାସ୍ତ୍ରୀଙ୍କ ନାଁରେ ମୋହର ମାରିଥିଲା ବିସିସିଆଇ ।