ଯେବେ ସେହୱାଗଙ୍କୁ ଚାପୁଡା ମାରିଥିଲେ କୋଚ୍ । କ୍ଷମା ମାଗିବାକୁ କହିଥିଲେ ଗାଙ୍ଗୁଲି, ସଚିନଙ୍କ ଇଙ୍ଗିତରେ ହୋଇଥିଲା ସମାଧାନ ।

2,584

କନକ ବ୍ୟୁରୋ :  ଭାରତୀୟ କ୍ରିକେଟ ଇତିହାସରେ ଅନେକ ଥର ବିବାଦ ଦେଖିବାକୁ ମିଳିଛି । କେତେବେଳେ ଟିମର ଖେଳାଳୀଙ୍କ ଭିତରେ ତ ପୁଣି କେତେବେଳେ କୋଚ-ଖେଳାଳୀଙ୍କ ଭିତରେ । ସେମିତି ଏକ ବିବାଦୀୟ ସ୍ଥିତି ଉପୁଜିଥିଲା ସେହୱାଗଙ୍କୁ ଚାପୁଡା ମରା ଘଟଣାକୁ ନେଇ  ।ଯାହାକୁ ନେଇ ଭୀଷଣ ରାଗି ଯାଇଥିଲେ ସେତେବେଳେ ଦଳର ଅଧିନାୟକ ଥିବା ସୌରଭ ଗାଙ୍ଗୁଲି । ଏପରିକି ଚାପୁଡା ମାରିଥିବା ବ୍ୟକ୍ତି ସେହୱାଗଙ୍କୁ କ୍ଷମା ମାଗନ୍ତୁ ବୋଲି ଜିଦ୍ ଧରି ବସିଥିଲେ । ଆଉ ସେହୱାଗଙ୍କୁ ଚାପୁଡା ମାରିଥିବା ବ୍ୟକ୍ତି ଅନ୍ୟ କେହି ନଥିଲେ ବରଂ ଦଳର କୋଚ୍ ଜନ ରାଇଟ ଥିଲେ । ଭାରତୀୟ ଦଳର ଏଭଳି ଏକ ଭିତିରି କଥା ଦୀର୍ଘ ବର୍ଷ ପରେ ସାମ୍ନାକୁ ଆଣିଥିଲେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ।

୨୦୧୩ରେ ରାଜୀବ ଶୁକ୍ଳା ଏକ କାର୍ଯ୍ୟକ୍ରମରେ ଏହି ବିବାଦୀୟ ଅଧ୍ୟାୟର ବାବଦରେ ମୁହଁ ଖୋଲିଥିଲେ । ୨୦୦୨ରେ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ଦିନିକିଆ ସିରିଜ ଖେଳିବାକୁ ଯାଇଥିବା ବେଳେ ସେତେବେଳେ ଦଳର କୋଚ ଥିଲେ ଜନ ରାଇଟ । ତେବେ ସେହୱାଗଙ୍କ ଖେଳକୁ ନେଇ ଜନ ଅସନ୍ତୁଷ୍ଟ ଥିଲେ କାରଣ ସିରିଜରେ ଲଗାତାର ମ୍ୟାଚରେ ବିଫଳ ହେଉଥିଲେ ସେହୱାଗ । କିଛି ବଲ ଖେଳିବା ସହ ଶୀଘ୍ର ଆଉଟ ହୋଇଯାଉଥିଲେ ସେହୱାଗ । ଅଧିକ ସମୟ କ୍ରିଜରେ ଛିଡା ହେବାର ଧୈର୍ଯ୍ୟ ନଥିବା ବେଳେ ଭୁଲ ସଟ୍ ଖେଳି ଶସ୍ତାରେ ଆଉଟ ହେଉଥିଲେ ସେହୱାଗ । ଆଉ ଏହି ଘଟଣାକୁ ନେଇ ଜନ ରାଇଟ ସେହୱାଗଙ୍କୁ ଚାପୁଡା ମାରିଥିଲେ ।

ଏହି ଘଟଣା ବାବଦରେ ଯେତେବେଳେ ଗାଙ୍ଗୁଲି ଜାଣିବାକୁ ପାଇଲେ ସେତେବେଳେ ଭୀଷଣ ରାଗିଯାଇଥିଲେ । ଦଳର ମ୍ୟାନେଜର ଥିବା ରାଜୀବ ଶୁକ୍ଳାଙ୍କୁ ଡାକି ଜନ ରାଇଟ କ୍ଷମା ମାଗନ୍ତୁ ବୋଲି କହିଥିଲେ ଗାଙ୍ଗୁଲି । ତେବେ ଏ ପ୍ରସଙ୍ଗରେ ଜନଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ରାଜୀବ । ଏବଂ ଫାଙ୍କା ସମୟରେ ଜନଙ୍କ ସହ ଏ ବାବଦରେ ଆଲୋଚନା ମଧ୍ୟ କରିଥିଲେ । ତେବେ ଜନ କହିଥିଲେ ଜଣେ କୋଚ୍ ଭାବେ ସେ ଏମିତି ବ୍ୟବହାର କରିଥିଲେ । କିନ୍ତୁ ନିଜ ଉପରୁ ଦୋଷ ଛଡାଇବାକୁ ଜନ କହିଥିଲେ, ସେ କେବଳ ସେହୱାଗଙ୍କୁ ଧକ୍କା ମାରିଛନ୍ତି, ଚାପୁଡା ମାରିନାହାନ୍ତି ।  ସେହୱାଗ ବାରମ୍ବାର ଗୋଟିଏ ଭୁଲକୁ ଦୋହରାଉଥିଲେ, ଯାହା କୋଚ୍ ଭାବେ ମୋ ପକ୍ଷେ ସହିବା ସମ୍ଭବ ନଥିଲା । କିନ୍ତୁ ଗାଙ୍ଗୁଲି ଜିଦ୍ ଧରିଥିଲେ ଜନ ରାଇଟଙ୍କୁ କ୍ଷମା ମାଗିବାକୁ ପଡିବ ।  ତେବେ ଏହି ବିବାଦର ସମାଧାନ ସଚିନଙ୍କ ଇଙ୍ଗିତରେ ହୋଇଥିଲା ।

ଡ୍ରେସିଂ ରୁମରେ ଗାଙ୍ଗୁଲିଙ୍କ ଏଭଳି ଜିଦ୍ ପରେ ରାଜୀବ ଶୁକ୍ଳାଙ୍କ ସହ କଥା ହୋଇଥିଲେ ସଚିନ୍ । ଯାହା ହୋଇଯାଉ ପଛେ କୋଚ୍ ଜନ ରାଇଟ ଯେପରି କ୍ଷମା ନ ମାଗନ୍ତି ସେ ବାବଦରେ ଉଦ୍ୟମ କରିବାକୁ ରାଜୀବଙ୍କୁ ସଚିନ କହିଥିଲେ । ଯଦି ଜଣେ କୋଚ୍ କ୍ଷମା ମାଗିବେ ତେବେ ଏହାର ପ୍ରଭାବ କଣ ପଡିବ ଓ ଆଗକୁ ଟିମ୍ ସହ କଣ ହେବ ତାହା ପରୋକ୍ଷରେ ବୁଝାଇଥିଲେ ସଚିନ୍ । ଆଉ ଏହାପରେ ସେହୱାଗଙ୍କୁ ଡାକି ବୁଝାଇଥିଲେ ରାଜୀବ । ଜଣେ ବାପା ଯେପରି ନିଜ ପୁଅକୁ ଭୁଲ ହେଲେ ଆକଟ କରେ ଠିକ୍ ସେହିଭଳି କୋଚ ଭାବେ ଜନ ରାଇଟ ତୁମକୁ ଏମିତି ବ୍ୟବହାର କରିଥିବା କହିଥିଲେ । ଆଉ ସବୁ ବୁଝିବା ପରେ ସେହୱାଗ ସାମ୍ନାକୁ ଆସି କୋଚ୍ ଜନ ରାଇଟଙ୍କୁ କ୍ଷମା ମାଗିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ । ଏହାପରେ ଏହି ବିବାଦରେ କେବଳ ଯେ ପୂର୍ଣ୍ଣଚ୍ଛେଦ ପଡିଥିଲା ତାହା ନୁହେଁ ବରଂ ସେହୱାଗଙ୍କ କ୍ରିକେଟ କ୍ୟାରିୟରରେ ବଡ ଧରଣର ପରିବର୍ତ୍ତନ ହୋଇଥିଲା । ଆଉ ତାପରେ ସେହୱାଗଙ୍କ ବ୍ୟାଟିଂ ଦେଖିବାକୁ ପୂରା ବିଶ୍ୱ ଚାହିଁ ରହୁଥିଲା ।