ସେହୱାଗଙ୍କୁ ଆଇସିସି ଦେଲା ବଡ ସମ୍ମାନ । ହଲ୍ ଅଫ୍ ଫେମରେ ମିଳିଲା ସ୍ଥାନ, ଜାଣନ୍ତୁ ଭାରତର ଅନ୍ୟ କୌଣସି ଖେଳାଳୀଙ୍କୁ ମିଳିଛି ଏହି ସମ୍ମାନ । 

1,139

କନକ ବ୍ୟୁରୋ : ବିଶ୍ୱକପ ଭିତରେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ମୁଲତାନର ସୁଲତାନ କୁହାଯାଉଥିବା ବୀରେନ୍ଦ୍ର ସେହୱାଗଙ୍କୁ ଆଇସିସି ବଡ ସମ୍ମାନରେ ସମ୍ମାନିତ କରିଛି । ଆଇସିସି ସେହୱାଗଙ୍କୁ ହଲ୍ ଅଫ୍ ଫେମରେ ସ୍ଥାନ ଦେଇଛି । ସେହୱାଗଙ୍କ ବ୍ୟତୀତ ପୂର୍ବତନ ଭାରତୀୟ ମହିଳା ଖେଳାଳୀ ଡାଏନା ଏଡୁଲଜି ଏବଂ ଶ୍ରୀଲଙ୍କାର ଅରବିନ୍ଦ ଡିସିଲଭାଙ୍କୁ ମଧ୍ୟ ହଲ୍ ଅଫ୍ ଫେମରେ ସ୍ଥାନ ମିଳିଛି । ଏହାସହ ଆଇସିସିର ହଲ୍ ଅଫ୍ ଫେମରେ ସ୍ଥାନ ପାଇଥିବା ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଇଁ ୧୧୨ରେ ପହଞ୍ଚିଛି ।

ଆଇସିସିର ଏହି ସମ୍ମାନଜନକ ହଲ୍ ଅଫ୍ ଫେମରେ ପୂର୍ବରୁ ୭ ଭାରତୀୟ ଖେଳାଳୀ ସ୍ଥାନ ପାଇ ସାରିଛନ୍ତି । ୨୦୦୯ରେ ସୁନୀଲ ଗାଭାସ୍କର ଓ ବିଶନ ସିଂ ବେଦୀ, ୨୦୧୦ରେ କପିଲ ଦେବ, ୨୦୧୫ରେ ଅନୀଲ କୁମ୍ବଲେ, ୨୦୧୮ରେ ରାହୁଲ ଦ୍ରାବିଡ, ୨୦୧୯ରେ ସଚିନ ତେନ୍ଦୁଲକର ଓ ୨୦୨୧ରେ ଭିନୁ ମଙ୍କଡଙ୍କୁ ଏହି ହଲ୍ ଅଫ୍ ଫେମ୍ରେ ସ୍ଥାନ ଦେଇଥିଲା  ଆଇସିସି ।

ହଲ୍ ଅଫ ଫେମରେ ସ୍ଥାନ ପାଇବା ପରେ ବୀରେନ୍ଦ୍ର ସେହୱାଗ କହିଛନ୍ତି, ମୁଁ ଆଇସିସିକୁ ଧନ୍ୟବାଦ ଦେବାକୁ ଚାହୁଁଛି । ବଲକୁ ଜୋରଦାର ପ୍ରହାର କରିବା ମୋର ସବୁଠୁ ଅଧିକ ପସନ୍ଦ । ଏମିତି ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବେଶ ଗର୍ବ ଅନୁଭବ କରେ । ମୁଁ ମୋର ପରିବାର, ବନ୍ଧୁ ଓ ସାଥୀ ଖେଳାଳୀ ଏବଂ ପ୍ରଂଶସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, କାରଣ ସେମାନଙ୍କ ପ୍ରାର୍ଥନା ପାଇଁ ଏହା ସମ୍ଭବପର ହୋଇପାରିଛି । ସେହିଭଳି ଅନ୍ତର୍ଜାତୀୟ କ୍ରିକେଟରେ ବୀରେନ୍ଦ୍ର ସେହୱାଗ ୧୦୪ଟି ଟେଷ୍ଟ ମ୍ୟାଚରୁ ୮୫୮୬ ରନ୍, ଦିନିକିଆରେ ୮୨୮୩ ରନ୍ ଓ ଟି-୨୦ରେ ୩୯୪ ରନ୍ କରିଛନ୍ତି ।