ସେହୱାଗଙ୍କ ସୁପର ସୋ’ । ୩୫ ବଲରେ ବିସ୍ଫୋରକ ୮୦ ରନ୍ ସହ ଦଳକୁ ଦେଲେ ବଡ ବିଜୟ ଭେଟି ।ଦେଖନ୍ତୁ ବୀରୁଙ୍କ ବିସ୍ଫୋରକ ବ୍ୟାଟିଂର ଭିଡ଼ିଓ ।

558

କନକ ବ୍ୟୁରୋ :  ପୁଣି ଗର୍ଜିଲା ବୀରୁଙ୍କ ବ୍ୟାଟ୍ । ସେହୱାଗଙ୍କ ବିସ୍ଫୋରକ ବ୍ୟାଟିଂ ପୁଣି ଦେଖିଲେ କ୍ରିକେଟପ୍ରେମୀ ।  ସଡ଼କ ସୁରକ୍ଷା ବିଶ୍ୱ ସିରିଜର ଚତୁର୍ଥ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୩୫ ବଲରୁ ୮୦ ରନ୍ କରିଛନ୍ତି ସେହୱାଗ । ଆଉ ଏହାସହ ବାଂଲାଦେଶ ଲିଜେଣ୍ଡସକୁ ୧୦ ୱିକେଟରେ ହରାଇଛି ଭାରତ ଲିଜେଣ୍ଡସ । ଅନ୍ୟପଟେ ସଚିନ ତେନ୍ଦୁଲକର ୨୬ ବଲରୁ ଅପରାଜିତ ୩୩ ରନ୍ କରିଥିଲେ ।

ରାୟପୁରରେ ଖେଳାଯାଉଥିବା ଏହି ସିରିଜରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଲିଜେଣ୍ଡସ ୧୦୯ ରନ କରିବାକୁ ସକ୍ଷମ ହୋଇଥିଲା । ୧୧୦ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିଲା ଇଣ୍ଡିଆ ଲିଜେଣ୍ଡସ । ଦୁଇ ଦୁର୍ଦ୍ଦଷ ଓପନର ବୀରେନ୍ଦ୍ର ସେହୱାଗ ଓ ସଚିନ ତେନ୍ଦୁଲକର ବ୍ୟାଟିଂ କରିବାକୁ ଓହ୍ଲାଇବା ସହ ପୂରା ପଡିଆ ତାଳିମାଡରେ ପ୍ରକମ୍ପିତ ହୋଇଥିଲା । ଆଉ ଏହାସହ ଆରମ୍ଭ ହୋଇଥିଲା ସେହୱାଗ ସୋ’ ।

କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ବଦଳିନଥିଲା ସେହୱାଗଙ୍କ ଅନ୍ଦାଜ । ପ୍ରଥମ ବଲରେ ଚୌକା ମାରି ଇନିଂସ ଆରମ୍ଭ କରିଥିଲେ ସେହୱାଗ । ଆଉ ଏହାପରେ ଅଟକିନଥିଲା ବୀରୁଙ୍କ ବ୍ୟାଟ୍ । ପ୍ରଥମ ଓଭରରେ ହିଁ ୧୯ ରନ କରିଥିଲା ଇଣ୍ଡିଆ ଲିଜେଣ୍ଡସ । ଆଉ ମାତ୍ର ୨୦ ବଲରେ ସେହୱାଗ ପୂରଣ କରିଥିଲେ ଅର୍ଦ୍ଧଶତକ । ଗୋଟିଏ ପଟେ ସଚିନ୍ ସର୍ତକତାର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ସେହୱାଗ ପୁରୁଣା ଅନ୍ଦାଜରେ ଖେଳୁଥିଲେ ବଡ ବଡ ସଟ୍ । ଶେଷରେ ଛକା ମାରି ଇଣ୍ଡିଆ ଲିଜେଣ୍ଡସକୁ ବଡ ବିଜୟ ଭେଟି ଦେଇଥିଲେ ବୀରୁ ।