୧୦ ବର୍ଷ ପୂର୍ବେ ଯେବେ ସେହୱାଗ ରଚିଥିଲେ ଇତିହାସ । ପୂରା ବିଶ୍ୱ ଦେଇଥିଲା ବାହାବା ।

195

କନକ ବ୍ୟୁରୋ : ୮ ଡିସେମ୍ବର ୨୦୧୧ । ଆଜିକୁ ଠିକ୍ ୧୦ ବର୍ଷ ତଳେ, ଇନ୍ଦୋରରେ ଇତିହାସ ରଚିଥିଲେ ନଜଫଗଡର ନୱାବ । ବିଶ୍ୱ କ୍ରିକେଟ ଜଗତରେ ବିସ୍ଫୋରକ ବ୍ୟାଟର ଭାବେ ଜଣାଶୁଣା ବୀରେନ୍ଦ୍ର ସେହୱାଗ ୧୦ ବର୍ଷ ପୂର୍ବେ ଆଜିର ଦିନରେ ଦିନିକିଆ କ୍ରିକେଟରେ ଦ୍ୱିଶତକ ହାସଲ କରିବା ସହ ନୂଆ ଇତିହାସ ସୃଷ୍ଟି କରିଥିଲେ । ଅଧିନାୟକ ଭାବେ ଦିନିକିଆ କ୍ରିକେଟରେ ଦ୍ୱିଶତକ ହାସଲ କରିବାରେ ସେହୱାଗ ସାଜିଥିଲେ ପ୍ରଥମ ଖେଳାଳୀ । ଏବେ ସୁଦ୍ଧା ଦ୍ୱିଶତକ ହାସଲକାରୀ ଖେଳାଳୀ ତାଲିକାରେ ୬ ଜଣ ରହିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଭାରତର ୩ ଜଣ ଖେଳାଳୀ ରହିଛନ୍ତି ।

୨୦୧୧, ନଭେମ୍ବର ୮ । ଇନ୍ଦୋରରେ ଖେଳାଯାଉଥିଲା ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ମୁକାବିଲା । ଆଉ ଏହି ମ୍ୟାଚରେ ସେହୱାଗଙ୍କ ବିଧ୍ୱଂସୀ ରୂପ ଦେଖିବାକୁ ମିଳିଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୧୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ସେହୱାଗ । ସେତେବେଳେ ପ୍ରଥମ ଅଧିନାୟକ ଭାବେ ଏହି ରେକର୍ଡ ନିଜ ନାଁରେ କରିଥିଲେ ସେହୱାଗ । କିନ୍ତୁ ଦ୍ୱିଶତକ ହାସଲ କରିବାରେ ଦ୍ୱିତୀୟ ଖେଳାଳୀ ସାଜିଥିଲେ । କାରଣ ଏହାପୂର୍ବରୁ ୨୦୧୦ରେ ଗ୍ୱାଲିୟରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ୱର ପ୍ରଥମ ଖେଳାଳୀ ଭାବେ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ ସଚିନ୍ ।

ସେହୱାଗଙ୍କ ଏହି ବିଧ୍ୱଂସୀ ୨୧୯ ରନର ଇନିଂସରେ ରହିଥିଲା ୨୫ଟି ଚୌକା ଓ ୭ଟି ବିଶାଳ ଛକା । ଆଉ ସେହୱାଗଙ୍କ ଦ୍ୱିଶତକ ବଳରେ ଭାରତ ୪୧୮ ରନର ବିଶାଳ ସ୍କୋର କରିଥିଲା । ଆଉ ୱେଷ୍ଟଇଣ୍ଡିଜ ମାତ୍ର ୨୬୫ ରନରେ ଅଲଆଉଟ ହେବା ଫଳରେ ଭାରତ ବଡ ବିଜୟ ହାସଲ କରିଥିଲା । ଏବେ ସୁଦ୍ଧା ୬ ଜଣ ଖେଳାଳୀ ଦ୍ୱିଶତକ କ୍ଲବରେ ସାମିଲ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ୩ ଜଣ ଭାରତୀୟ ରହିଛନ୍ତି । ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ, ରୋହିତ ଶର୍ମା ଭାରତ ପକ୍ଷରୁ ଦ୍ୱିଶତକ ହାସଲ କରିଥିବା ବେଳେ ୱେଷ୍ଟଇଣ୍ଡିଜର କ୍ରିସ ଗେଲ, ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ଟିଲ ଓ ପାକିସ୍ତାନର ଫାକର ଜମନ ଏହି ଉପଲବ୍ଧି ହାସଲ କରିଛନ୍ତି । କେବଳ ରୋହିତ ଶର୍ମା ହିଁ ପ୍ରଥମ କ୍ରିକେଟର ଭାବେ ଦିନିକିଆରେ ୩ଟି ଦ୍ୱିଶତକ ହାସଲ କରିଛନ୍ତି ।