କନକ ବ୍ୟୁରୋ : ୧୧ ବର୍ଷର ସଂଘର୍ଷର ଅବସାନ । ହାଇକୋର୍ଟଙ୍କ ଐତିହାସିକ ରାୟ ପରେ ପାଇଲେ ଅନୁକମ୍ପାମୂଳକ ନିଯୁକ୍ତି । ବିବାହିତା ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିବା ନେଇ ହାଇକୋର୍ଟଙ୍କ ରାୟ ପରେ ଭଦ୍ରକର ସୀମାରାଣୀ ପାଣ୍ଡବଙ୍କୁ ମିଳିଛି ନିଯୁକ୍ତି । ଆଉ ନିଯୁକ୍ତି ପାଇବା ଖୁସିରେ ଆଖିରୁ ଲୁହ ଝରିଆସୁଛି । ବିଚାରପତି ଜଷ୍ଟିସ ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୀମାରାଣୀ ପାଣ୍ଡବଙ୍କ ଆବେଦନର ଶୁଣାଣି କରି ବଡ଼ ରାୟ ଶୁଣାଇଥିଲେ ହାଇକୋର୍ଟ । ଏହି ଆଧାରରେ ବାପାଙ୍କ ମୃତ୍ୟୁ ପରେ ସୀମାଙ୍କୁ ମିଳିଛି ଚାକିରି ।

Advertisment

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିଆରଏସ୍ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କ୍ରୀଡ଼ା ଶିକ୍ଷକ ବେଣୁଧର ପାଣ୍ଡବଙ୍କ ୨୦୦୪ ମସିହାରେ ମୃତ୍ୟୁ ହୋଇଯାଇଥିଲା । ସ୍ୱର୍ଗତ ବେଣୁଧରଙ୍କ ସାନ ମଝିଆ ଝିଅ ସୀମାରାଣୀ ପାଣ୍ଡବ ୨୦୦୫ରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ କରିଥିଲେ । ତେବେ ୨୦୦୬ରେ ସୀମାଙ୍କ ବିବାହ ହୋଇଥିଲା । ବିବାହିତା ହୋଇଥିବାରୁ ସୀମାଙ୍କ ଆବେଦନକୁ ୨୦୧୦ରେ ଖାରଜ କରିଦିଆଯାଇଥିଲା । ଯାହା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୀମାରାଣୀ ।

୧୦ ବର୍ଷରୁ ଅଧିକ ଦିନ ଧରି ହାଇକୋର୍ଟରେ ମାମଲା ଚାଲିଥିଲା । ଆଉ ଶେଷରେ ହାଇକୋର୍ଟ ସୀମାରାଣୀଙ୍କ ସପକ୍ଷରେ ରାୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି,
- ବିବାହିତା ହୋଇଥିବାରୁ ଜଣେ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଂଚିତ କରାଯାଇପାରିବ ନାହିଁ
- ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ନିର୍ଭରଶୀଳତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବା ଉଚିତ୍
- ନିର୍ଭରଶୀଳ ବ୍ୟକ୍ତିଙ୍କ ବୈବାହିକ ସ୍ଥିତି ଏଥିରେ ବାଧକ ହେବା ଉଚିତ୍ ନୁହେଁ
- ରୋଜଗାର କରୁଥିବା ସରକାରୀ ଚାକିରିଆଙ୍କ ମୃତ୍ୟୁ ପରେ ତାଙ୍କ ରୋଜଗାର ଉପରେ ନିର୍ଭରଶୀଳତା ହିଁ ଅନୁକମ୍ପା ନିଯୁକ୍ତିର ମାନଦଣ୍ଡ ହେବା ଆବଶ୍ୟକ
- ଏହାସହିତ ଅନୁକମ୍ପାମୂଳକ ନିଯୁକ୍ତିରୁ ବିବାହିତା ଝିଅଙ୍କ ନାଁ ବିଚାରକୁ ନିଆ ନଯିବା ନୀତି ଗ୍ରହଣୀୟ ନୁହେଁ
- ଅନୁକମ୍ପା ନିଯୁକ୍ତି ପ୍ରଦାନ ସଂକ୍ରାନ୍ତରେ ବିଚାର ବେଳେ ଆବେଦନକାରୀଙ୍କ ବୟସ ପ୍ରସଙ୍ଗ ହେବ ନାହିଁ

ବିବାହିତା ଝିଅଙ୍କୁ ଚାକିରି ଦେବା ନେଇ ପୂର୍ବରୁ ଛତିଶଗଡ଼, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାର ଐତିହାସିକ ରାୟ ଶୁଣାଇଛନ୍ତି । ଏବେ ଓଡ଼ିଶା ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ପରେ ଅନେକ ଆଶାୟୀଙ୍କ ପାଇଁ ଆଶା ସଂଚାର ହୋଇଛି ।