ଉତ୍ତର ପ୍ରଦେଶ ରାଜନୀତିରେ ପାଦ ରଖିଲେ ନିର୍ଭୟାଙ୍କ ଓକିଲ, ମାୟାବତୀଙ୍କ ଦଳରୁ ଲଢିପାରନ୍ତି ନିର୍ବାଚନ

271

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଚାଲିଥିବା ନିର୍ବାଚନୀ ସରଗରମ ମଧ୍ୟରେ ଏକ ବଡ ଖବର ଆସିଛି । ନେତାମାନଙ୍କ ମଧ୍ୟରେ ଚାଲିଥିବା ଦଳବଦଳ ଭିତରେ ବିଏସପିରେ ଜଣେ ନୂଆ ଚେହେରା ସାମିଲ ହୋଇଛନ୍ତି । ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନିର୍ଭୟାଙ୍କ ପରିବାର ତରଫରୁ ଲଢିଥିବା ଓକିଲ ସୀମା କୁଶୱା ଗୁରୁବାର ଦିନ ବିଏସପିରେ ସାମିଲ ହୋଇଛନ୍ତି । ବିଏସପିର ରାଷ୍ଟ୍ରୀୟ ମହାସଚିବ ସତୀଶ ଚନ୍ଦ୍ର ମିଶ୍ରାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ନିର୍ଭୟା ମାମଲାରେ କୋର୍ଟରେ ଲଢି ନିର୍ଭୟାଙ୍କ ମା ଙ୍କୁୁ ନ୍ୟାୟ ଦେଇ ଚର୍ଚ୍ଚାରେ ଥିବା ଓକିଲ ସୀମା କୁଶୱା ବିଏସପିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି । ଏବେ ବିଏସପି ତାଙ୍କୁ କୌଣସି ଆସନରୁ ବି ଟିକେଟ ଦେଇପାରେ ବୋଲି ଆକଳନ କରାଯାଉଛି ।

କହିରଖୁ କି ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ କୋର୍ଟରେ ଲଢି ସୀମା ଦୋଷୀମାନଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦେଇଥିଲେ । ଏହାପରେ ସେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲେ । ସୀମା ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ନିଜର ପାଠପଢା ସାରିଥିଲେ । ସେ ୨୦୧୪ ମସିହାରେ ସୁପ୍ରିମ କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ଏହା ବ୍ୟତୀତ ସେ ୨୦୧୪ ଜାନୁଆରୀ ୨୪ ରେ ନିର୍ଭୟା ଜ୍ୟୋତି ଟ୍ରଷ୍ଟ ସହିତ ଜଡିତ ହୋଇ ଦେଶର ମହିଳା ମାନଙ୍କୁ ସଚେତନ କରାଇବା ସହ ସେମାନଙ୍କ ବିରୋଧରେ ହେଉଥିବା ହିଂସା ବିରୋଧରେ ଲଢେଇ ଜାରି ରଖିଛନ୍ତି ।