ସଚିନ ପାଇଁ ଘର ଛାଡିଲେ, ଦେଶ ଛାଡିଲେ… ସୀମାଙ୍କ ପ୍ରେମ ସତ ନା ଷଡଯନ୍ତ୍ର? ଏ ନେଇ ତେଜିଲା ପ୍ରଶ୍ନ ।

570

କନକ ବ୍ୟୁରୋ: ପଡୋଶୀ ପାକିସ୍ତାନରୁ ନିଜ ପ୍ରେମକୁ ପାଇବାକୁ ଭାରତ ଚାଲିଆସିଲେ ସୀମା ହାଇଦର । ହେଲେ ଏବେ ସେ ଭାରତୀୟ ଯାଞ୍ଚ ଏଜେନ୍ସିର ରାଡାରରେ । କାରଣ ସଚିନଙ୍କ ପ୍ରତି ତାଙ୍କ ଭଲପାଇବା ସତ ନା ଏକ ଷଡଯନ୍ତ୍ର ସେ ନେଇ ଏବେ ପ୍ରଶ୍ନ ।

ସୀମା ସଚିନଙ୍କ ପାଇଁ ଥିବା ଅହେତକୁ ପ୍ରେମ ପାଇଁ ଆସିଥିବା କହୁଥିବାବେଳେ ସାଉଦି ଆରବରେ ରହୁଥିବା ତାଙ୍କ ସ୍ୱାମୀ ଗୁଲାମ ହାଇଦର ପଠାଇଛନ୍ତି ତାଙ୍କ ବିବାହର ହଲପନାମା । ସୀମାଙ୍କ ସହ ତାଙ୍କ ବିବାହ ସମୟର ହଲପନାମା ସହ ରାସନ କାର୍ଡର କପି ପଠାଇବା ସହ ସୀମାଙ୍କୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ସୀମା ଭାରତ ଅସିବା ସମୟରେ ନିଜ ଜୀବନ ବାବଦରେ ଯାହା କହିଥିଲେ, ଗୁଲାମଙ୍କ ବୟାନ ଏହାଠାରୁ ପୁରା ଅଲଗା । ଭାରତ ଆସିବା ସମୟରେ ସୀମା ନିଜ ବୟସ ଯାହା କହିଥିଲେ ତାହାଠାରୁ ପାକିସ୍ତାନରେ ଦାଖଲ ହୋଇଥିବା ତାଙ୍କ ବୟସ ଭିନ୍ନ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଗୁଲାମଙ୍କ ସହ ତାଙ୍କର ବିବାହ ଜବରଦସ୍ତି କରାଯାଇଥିଲା । ତେଣୁ ସେ ତାଙ୍କ ସହ ଖୁସିରେ ନଥିଲେ ବୋଲି ପୁର୍ବରୁ ସୀମା କହିଥିବାବେଳେ ଗୁଲାମ ହାଇଦର ପଠାଇଥିବା ବାହାଘର ହଲପନାମାରେ ସୀମାଙ୍କ ହଲପନାମା ପୁରା ଭିନ୍ନ ।

ଏହି ହଲପନାମାରେ ସୀମା କହିଛନ୍ତି ଯେ, ତାଙ୍କ ବାପା, ମା’ ଲୋଭରେ ପଡି ଜଣେ ଅସାମାଜିକ ଯୁବକ ସହ ତାଙ୍କର ବିବାହ କରାଇଦେବାକୁ ଚାହୁଁଥିଲେ ହେଲେ ସେ ସେଠାରୁ ଖସିପଳାଇଆସି ଏବେ ଗୁଲାମଙ୍କ ସହ ବିବାହ କରିବାକୁ ଇଚ୍ଛୁକ । ଗୁଲାମ ତାଙ୍କୁ ସ୍ତ୍ରୀ ମର୍ଯ୍ୟାଦା ଦେଇ ଖୁସିରେ ରଖି ବୋଲି ତାଙ୍କ ବିଶ୍ୱାସ ଅଛି । ଏହି ହଲପନାମାକୁ ଓ ସୀମାଙ୍କ କଥାରେ ତାଳମେଳ ରହୁନଥିବାରୁ ଏବେ ସୀମାଙ୍କ ଭାରତ ଆସିବାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ ।
ସୀମାଙ୍କ ଭାରତ ଆସିବା ପଛରେ କିଛି ରହସ୍ୟ ଅଛି କି? ସଚିନଙ୍କ ପ୍ରତି ତାଙ୍କର ପ୍ରେମ ସତ ନା ଏକ ଷଡଯନ୍ତ୍ର ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ସୀମାଙ୍କ ଉପରେ ଯାଞ୍ଚ ଏଜେନ୍ସି କଡା ନଜର ରଖିଥିବା ଜଣାପଡିଛି ।