କନକ ବ୍ୟୁରୋ: ବିଶ୍ୱ ବ୍ରହ୍ମାଣ୍ଡର ଠାକୁର କାଳିଆ ଠାକୁର । ତାକୁ ଯିଏ ଦେଖିଛି ସେ କୃତ୍ୟ କୃତ୍ୟ ହୋଇଛି । ଚକା ଚକା ନୟନ ଦେଖି ଭାବବିହ୍ୱଳ ହୋଇଛି । ଠିକ୍ ସେମିତି ଶ୍ରୀମନ୍ଦିରର ରତ୍ନସିଂହାସନରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀଜୀୟୁ ପାଶ୍ୱର୍ ଦେବାଦେବୀଙ୍କୁ ଦର୍ଶନ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ କୌଳିକ ପଣ୍ଡାଙ୍କ ଯାତ୍ରୀଖାତାରେ ଓଡିଆରେ ଦସ୍ତଖତ କରିଛନ୍ତି । ଆଉ ବଖାଣିଛନ୍ତି ମହାପ୍ରଭୁଙ୍କ ଦର୍ଶନ ଅନୁଭୂତି ।
ଯାତ୍ରୀଖାତାରେ ରାଷ୍ଟ୍ରପତି ଲେଖିଛନ୍ତି, ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂରତି ଏବଂ ପାଶ୍ୱର୍ ଦେବଦେବୀଙ୍କୁ ଦର୍ଶନ କରି ମୁଁ ନିଜକୁ ସୌଭାଗ୍ୟବତୀ ମନେ କରୁଛି । ଓଡିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣିପାତ କରି ମୁଁ ଏକ ବିରଳ ଓ ଦିବ୍ୟ ଅନୁଭୂତି ଲାଭ କରିଛି । ମହାପ୍ରଭୁ ଆଦିବାସୀ ମାନଙ୍କର ଦାରୁ ଦେବତା ଏବଂ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଠାକୁର. ମାନବ ଜାତିର କଲ୍ୟାଣ ପାଇଁ ମୁଁ ତାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି । ଶ୍ରୀ ଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଁଞ୍ଚୁ । ଏହା ମୋର କାମନା ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭବନରେ କିଛି ସମୟ ରହଣୀ କରିବା ଅବସରରେ ମହାପ୍ରସାଦ ସେବନ କରିଛନ୍ତି । ଶ୍ରୀମନ୍ଦିରର ସକାଳ ଧୂପରେ ବାହାରିଥିବା ଅବଢ଼ା ଖାଇଛନ୍ତି । ରାଷ୍ଟ୍ରପତି ସେବନ କରିଥିବା ମହାପ୍ରସାଦରେ ଥିଲା ମହାପ୍ରଭୁଙ୍କ ସ୍ୱାଦିଷ୍ଟ ବ୍ୟଞ୍ଜନ । ରାଷ୍ଟ୍ରପତିଙ୍କ ପାଇଁ ଆସିଥିବା ବ୍ୟଞ୍ଜନ ତାଲିକାରେ ଥିଲା. ଘିଅ ଅନ୍ନ, ଶାଖ, ବେସର, ଦହି, କଦଳୀ ଭଜା, କାନିକା ଖେଚୁଡି, ଡାଲି, ଡାଲମା, ମହୁର, ଶାଗମୁଗ, ସନ୍ତୁଳା, ଛେନାବଡି ବେସର, ସପୁରୀ ଖଟା, ରାଇତା, ପୋଟଳ ରସା, ବିରିପିଠା,ଫଳ, ରାବିଡି, ତାଡିଆ, ଝିଲ୍ଲୀ, ଚନ୍ଦ୍ରକାନ୍ତି,ହଂସକେଳି, ଏଣ୍ଡୁରି, କାକେରା ।
ଶ୍ରୀମନ୍ଦିରରୁ ଆସିଥିବା ମହାପ୍ରସାଦକୁ କଦଳୀ ପତ୍ରରେ ମହାମହିମଙ୍କୁ ପରଶା ଯାଇଥିଲା । ପୁଣି ମାଟିପାତ୍ରରେ ରସାବଳୀ ଓ ପାପୁଡି ପରଶା ଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗଜପତି ମହାରାଜା ଦିବ୍ୟସିଂହ ଦେବ, ପାଟରାଣୀଙ୍କ ସହ ତଳେ ବସି ଖାଇଛନ୍ତି ମହାପ୍ରସାଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଶୀ ଲାଲ, ରାଷ୍ଟ୍ରପତିଙ୍କ ଝିଅ ଓ ଜ୍ୱାଇଁ ମଧ୍ୟ ରାଷ୍ଟ୍ରପତିଙ୍କ ସହ ମହାପ୍ରସାଦ ସେବନ କରିଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କ ଏହି ଗସ୍ତ ପୁରୀ ଶ୍ରୀମନ୍ଦିର ଓ ରାଜଭବନ ଇତିହାସରେ ନୂଆ ଫର୍ଦ ଯୋଡି ହୋଇଛି । ଯାହା ସ୍ମରଣୀୟ ହୋଇ ରହିବ ।
Follow Us