ରାଜାଙ୍କୁ ପିଆଜ ଡର ! ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ବାସଭବନ ଆଗରେ ପୁଲିସର ପହରା…ପିଆଜ ଦର ବୃଦ୍ଧି ନେଇ ଲୋକଙ୍କ ଅସନ୍ତୋଷକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି

592

କନକ ବ୍ୟୁରୋ: ମନ୍ତ୍ରୀଙ୍କୁ ଘାରିଛି ପିଆଜ ଡର । ପିଆଜର ଅହେତୁକ ଦର ବୃଦ୍ଧପରେ ଦେଖାଦେଇଥିବା ପ୍ରବଳ ଜନଆକ୍ରୋଶର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ଦର କମିବା ପାଇଁ ନୁହେଁ ନିଜ ସୁରକ୍ଷା ପାଇଁ । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଘର ସମ୍ମୁଖରେ ପୁଲିସ ମୁତୟନ ହୋଇଛନ୍ତି । ବିରୋଧୀ ଗୋଷ୍ଠୀ ମନ୍ତ୍ରୀମାନଙ୍କ ଘରକୁ ଧଶେଇ ପସିବା ପାଇଁ ଉଦ୍ୟମ, ଟମୋଟା ଫୋପାଡିବା ପରି ଘଟଣା ପୂର୍ବରୁ ଦେଖିବାକୁ ମିଳିଛି । ତେଣୁ ସୁରକ୍ଷା ଦୃଷ୍ଟିରେ ଯୋଗାଣ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ସୁରକ୍ଷା ବଢାଇ ଦିଆଯାଇଛି ।

ଦିନକୁ ଦିନ ବଢ଼ିବାରେ ଲାଗିଛି ପିଆଜ ଦର । ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜର ଦର ଆକାଶ ଛୁଆଁ । କେତେକ ସ୍ଥାନରେ ଏହାର ଦାମ ୧୬୦ ଟଙ୍କା ଛୁଇଁଲାଣି । ତେବେ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଓ ବାଲେଶ୍ୱରରେ ପିଆଜ ଦର ୧୩୦ଟଙ୍କା ରହିଥିବା ବେଳେ ନବରଙ୍ଗପୁରରେ ଏହା ୧୨୦ଟଙ୍କା ରହିଛି । ସେପଟେ ବ୍ରହ୍ମପୁର ସହରରେ ପିଆଜ ୧୩୦ଟଙ୍କାରୁ ତଳକୁ ଖସିବାର ନାଁ ଧରୁନି ।

ସେହିପରି କଟକ ଛତ୍ରବଜାରରେ ପିଆଜ କିଲୋ ପିଛା ୧୩୦ରୁ ଦେଢ ଶହ ଟଙ୍କାରେ ବିକ୍ରି ହେଉଛି । ଫଳରେ ଏବେ ପିଆଜକୁ ଦେଖିଲେ ଛୁଇଁବାକୁ ଡର ଲାଗୁଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗ୍ରାହକମାନେ କିଲେ ନେବା ବଦଳରେ ଅଢେଇଶହ ଗ୍ରାମ କିମ୍ବା ତାଠାରୁ କମ ପିଆଜ କିଣୁଛନ୍ତି । ପିଆଜର ଏହି ଅହେତୁକ ଦରବୃଦ୍ଧି ଗତ କିଛି ଦିନ ଧରି ଲାଗି ରହିଛି । ପିଆଜ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହୋଇଥିବାରୁ ଏହା ସବୁ ବର୍ଗରୁ ଲୋକଙ୍କ ପକେଟ ଉପରେ ମାଡ କରିିଛି ।