ବିକ୍ରମଦେବ କଲେଜର ୭୫ ବର୍ଷ ପୂର୍ତ୍ତି : ଯୋଗଦେବେ ମୁଖ୍ୟମନ୍ତ୍ରୀ; ସଜେଇ ହେଉଛି କଲେଜ ପଡ଼ିଆ, ଗତକାଲି ମିଳିଛି ବିଶ୍ୱବିଦ୍ୟାଳୟ ମାନ୍ୟତା

182

କନକ ବ୍ୟୁରୋ : ଆଜି ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ ଦେବ କଲେଜର ୭୫ ବର୍ଷ ଅବସରରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଗତକାଲି ଅବିଭକ୍ତ କୋରାପୁଟ ଜିଲ୍ଲାର ଏହି ସର୍ବପୁରାତନ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି । ମହାବିଦ୍ୟାଳୟର ୭୫ବର୍ଷ ପୂର୍ତି ଉତ୍ସବର ଠିକ୍ ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଅନେକବର୍ଷର ଦାବି ଶେଷରେ ପୂରଣ ହୋଇଥିବାରୁ କଲେଜ କର୍ମଚାରୀ, ପୁରାତନ ଛାତ୍ର ଏବଂ ଏବେର ଛାତ୍ରଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

୧୯୪୭ ମସିହାରେ ଉଚ୍ଚଶିକ୍ଷା ନିମନ୍ତେ ଜୟପୁର ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ବିକ୍ରମ ଦେବ ମହାବିଦ୍ୟାଳୟ ଭାବେ ନାମକରଣ କରାଯାଇଥିଲା । ସ୍ନାତକ ତଥା ସ୍ନାତକୋତର ଶିକ୍ଷା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ ଏହି ସରକାରୀ ମହାବିଦ୍ୟାଳୟ ଉପରେ ନିର୍ଭର କରୁଆସୁଛନ୍ତି । ୨୦୦୫ରେ ସ୍ୱୟଂଶାସିତ ମାନ୍ୟତା ମିଳିବା ସହ ଗତ କିଛି ବର୍ଷ ମଧ୍ୟରେ ଅନେକ ନୂଆ ପାଠ୍ୟକ୍ରମ ଆରମ୍ଭ ହୋଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଏହି ନୂଆ ବିଶ୍ୱବିଦ୍ୟାଳୟକୁ ଅଧୀନକୁ ଆସିବ ବୋଲି ଜଣାପଡ଼ିଛି ।