ସ୍ନେହଶ୍ରଦ୍ଧାର ଅନାବିଳ ସଂପର୍କ…ଦିବ୍ୟାଙ୍ଗଙ୍କ ବାପା-ମାଆ ସାଜିଛନ୍ତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରକ୍ଷକ ସିପାହୀ ସୁବାସ…କାଖରେ ଜାକି ବୁଲାଉଛନ୍ତି, ନିଜ ପୁଅ ଭଳି ପ୍ରତିଟି ଅଳି ଅଝଟକୁ ପୂରଣ କରୁଛନ୍ତି

657

କନକ ବ୍ୟୁରୋ: ସ୍ନେହଶ୍ରଦ୍ଧାର ଅନାବିଳ ବନ୍ଧନ…କାଖରେ ଜାକି ବୁଲାଇ ନିଅନ୍ତି । ଅଝଟ କଲେ ବୁଝାଇ ଦିଅନ୍ତି । ଆଉ ଶୌଚ କରାଇ ନିଜ ହାତରେ ସଫା ମଧ୍ୟ କରିଦିଅନ୍ତି । ତେଲ ଲଗାଇ ଗାଧୁଆପାଧୁଆ କରିବା ସହ ନିଜ ପୁଅଠୁ ବି ବଳି ଗେହ୍ଲା କରି ଦିବ୍ୟାଙ୍ଗଙ୍କ ବାପାମାଆ ସାଜିଛନ୍ତି ଜଣେ ହୃଦୟବାନ୍ ସିପାହୀ । ଏଭଳି ଅନାବିଳ ସଂପର୍କ ଦେଖିବାକୁ ମିଳିଛି ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ । ଚାଲିବୁଲି ପାରୁନଥିବା ଜଣେ ଦିବ୍ୟାଙ୍ଗ ଓ ଜଣେ ହୃଦୟବାନ ସିପାହୀଙ୍କ ଭିତରେ ଗଢି ଉଠିଥିବା ଏହି ସଂପର୍କ ସତରେ ଅନ୍ୟମାନଙ୍କ ପାଇଁ ପାଲଟିଯାଇଛି ପ୍ରେରଣା ।

ବାବୁଲି ପାତ୍ର । ଜନ୍ମରୁ ଦିବ୍ୟାଙ୍ଗ । ବୟସ ୨୫ ବର୍ଷ ଉପରେ ହୋଇଥିଲେ ବି ଶରୀରର ଉଚ୍ଚତା କିନ୍ତୁ ଅଢେଇରୁ ତିନି ଫୁଟ ହେବ । ଚାଲିବୁଲି ପାରୁନଥିବାରୁ ବାବୁଲ ଲିଙ୍ଗରାଜ ମନ୍ଦିର ସାମ୍ନାରେ ବସି ଭିକ୍ଷାବୃତ୍ତି କରନ୍ତି । ଆଉ ରାତି ହେଲେ ଶ୍ରୀଲିଙ୍ଗାରଜ ଥାନାରେ ଆଶ୍ରୟ ନିଅନ୍ତି । ତେବେ ଶାରୀରିକ ଅକ୍ଷମତା କାରଣରୁ ବାବୁଲିଙ୍କ ପାଇଁ ନିଜ କାମ ନିଜେ କରିବା କାଠିକର ପାଠ ହୋଇଥିବା ବେଳେ ବାବୁଲିଙ୍କ ଦୁଃଖ କିନ୍ତୁ ଦେଖିପାରିନଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ଆଉ ବାବୁଲିଙ୍କ ଜୀବନରେ ହସ ଭରିବାକୁ ଦେବଦୂତ ହୋଇ ଶ୍ରୀଲିଙ୍ଗରାଜ ଥାନାକୁ ବଦଳି ହୋଇ ଆସିଲେ ସିପାହୀ ସୁବାସ ମେଂଟା ।

ସୁବାସଙ୍କ ଘର କଣାସ ବଳଜିତପୁରରେ ହୋଇଥିବା ବେଳେ ବଦଳି ହୋଇ ପ୍ରଭୁଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ତେବେ ଏହି ସମୟରେ ସୁବାସଙ୍କ ଦୃଷ୍ଟି ବାବୁଲିଙ୍କ ଉପରେ ପଡିଥିଲା । ଆଉ ବାବୁଲିଙ୍କ ଏଭଳି ଅବସ୍ଥା ଦେଖି ସୁବାସଙ୍କ ହୃଦୟ ତରଳି ଯାଇଥିଲା । ତେଣୁ ପ୍ରତିଦିନ କାମ ସାରି ଘରକୁ ଯିବା ପରିବର୍ତ୍ତେ ସୁବାସ ଆଗେ ବାବୁଲିଙ୍କ ପାଖକୁ ଯାଇ ତାଙ୍କ ଭଲମନ୍ଦ କଥା ପଚାରି ବୁଝନ୍ତି ଆଉ ଶୌଚ ହେବାକୁ ଚାହୁଁଥିଲେ ତାଙ୍କୁ ପାଇଖାନାକୁ କାଖେଇ ନେଇଯାଆନ୍ତି ଏବଂ ଶୌଚ ପରେ ନିଜ ହାତରେ ମଇଳା ସଫା କରି ଦିଅନ୍ତି ଏବଂ ଜାମା ବ୍ୟାଂଟ ପିନ୍ଧାଇ ପୁଣି ତାଙ୍କୁ ଠିକଣା ସ୍ଥାନରେ ପହଂଚାଇ ଦିଅନ୍ତି ।

ଖାଲି ଏତିକି ନୁହେଁ ଚଳିତ ବର୍ଷ ଦୁର୍ଗାପୁଜା ଦେଖିବାକୁ ସୁବାସଙ୍କ ନିକଟରେ ସୁବାସ ଅଳି କରିଥିଲେ ଆଉ ସୁବାସ ବାବୁଲିଙ୍କୁ ଅଳିକୁ ପୁରଣ ମଧ୍ୟ କରିଥିଲେ । କାମ ସାରି ସୁବାସ ତାଙ୍କୁ କାଖେଇ ମେଢ ବୁଲାଇ ଦେଖାଇଥିବା କହିଛନ୍ତି ବାବୁଲି । ସତରେ ଦୁଃଖ ଯନ୍ତ୍ରଣାରେ ଜୁଝୁ ଥିବା ଅସହାୟ ବାବୁଲିଙ୍କ ଜୀବନରେ ଦେବଦୂତ ସାଜି ଆସିଛନ୍ତି ସିପାହୀ ସୁବାସ ମେଂଟା ।