ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ଉପରେ ଫ୍ୟାକ୍ଟ୍ରି ମାଲିକଙ୍କ ଗୁଣ୍ଡାରାଜ: ଖାଇବାକୁ ମାଗିବାରୁ ଶ୍ରମିକଙ୍କୁ ଗୋଡାଇ ଗୋଡାଇ ପିଟିଲେ କମ୍ପାନୀ ସିକ୍ୟୁରିଟି; ୪ମହିଳା ଓ ଦୁଇ ପୁରୁଷ ଗୁରୁତର

3,299

କନକ ବ୍ୟୁରୋ: ପ୍ରବାସୀ ଓଡିଆଙ୍କ ଉପରେ ଆକ୍ରମଣ । ତାମିଲନାଡୁରେ ଓଡିଆ ଶ୍ରମିକଙ୍କୁ ଗୋଡାଇ ଗୋଡାଇ ପିଟିଲେ କମ୍ପାନୀର ସିକ୍ୟୁରିଟି । କରୋନା କଟକଣା ଦିନେ କାମ କଲେ ଦିନେ କାମ ମିଳୁନାହିଁ କି ଠିକ୍ ସେ ଖାଇବା ବି ମିଳୁନାହିଁ । ଖାଇବାକୁ ମାଗିବାରୁ କମ୍ପାନୀ କର୍ତୃପକ୍ଷ ଓ ସିକ୍ୟୁରିଟି ଓଡିଆ ଶ୍ରମିକଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ୪ ଜଣ ଝିଅ ଓ ୨ ଜଣ ପୁଅ ଗୁରୁତର ହୋଇଛନ୍ତି । ଏପରିକି ଜଣେ ଭିନ୍ନକ୍ଷମ ଝିଅଙ୍କୁ ବି ମାଡ ମାରିବାକୁ ପଛାଇ ନାହାନ୍ତି । ଏମିତିକି ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନାକୁ ନନେଇ ଗୋଟିଏ ସ୍ଥାନରେ ବନ୍ଧକ ରଖିଛି ।

ତାମିଲନାଡୁ ତିରିପୁର ଜିଲ୍ଲା ଉତୁକୁଡି ଅଂଚଳରେ ଥିବା ଆହିଲ ଆପ୍ପାରେଲ୍ ଏକ୍ସପୋର୍ଟ୍ସ ଲିମିଟେଡ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି ପ୍ରାୟ ୧ ହଜାରରୁ ଅଧିକ ଓଡିଆ ଶ୍ରମିକ । ୫ଶହ ଝିଅ ଓ ୬ଶହ ପୁଅ କମ୍ପାନୀ ମେସ୍ରେ ରହି କପଡା ସିଲାଇ କାମ କରନ୍ତି । ହେଲେ ତାଲା ବନ୍ଦ ଯୋଗୁଁ କମ୍ପାନୀରେ କାମ ନଥିବାରୁ କମ୍ପାନୀ ଶ୍ରମିକଙ୍କୁ ଖାଇବାକୁ ଦେଉନାହିଁ । ସବୁଦିନ କେବଳ ଭାତ ଆଉ ରସମ ଦେଉଥିବାରୁ ଶ୍ରମିକମାନେ ଟିକେ ଭଲ ଖାଦ୍ୟ ମାଗିଥିଲେ । ଆଉ ଏଥିରେ ରାଗି ଯାଇ କମ୍ପାନୀ ପକ୍ଷରୁ ଓଡିଆ ଶ୍ରମିକଙ୍କୁ ଆକ୍ରମଣ କରାଯାଇଛି ।