ଶ୍ରୀନଗରରେ ଭାରତୀୟ ଯବାନ-ଆତଙ୍କବାଦୀ ମୁହାଁମୁହିଁ । ଛାନିଆରେ ବନ୍ଧୁକ ଛାଡି ଗାଏବ ହୋଇଗଲେ ଆତଙ୍କବାଦୀ ।

179

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ପୁଣିଥରେ ସକ୍ରିୟ ହୋଇ ଉଠିଲେଣି ଆତଙ୍କବାଦୀ । ପ୍ରାୟ ଅଧିକାଂଶ ଦିନ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହେଉଥିବାର ଖବର ସାମ୍ନାକୁ ଆସୁଛି । ଏସବୁ ଭିତରେ ଗତ ଶନିବାର ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଶ୍ରୀନଗରରେ ଗୁଳି ବିନିମୟ ହୋଇଥିବା ବେଳେ ଦୁଇ ଜଣ ଆତଙ୍କବାଦୀଙ୍କୁ ଘେରିଥିଲେ ଭାରତୀୟ ସେନା । ଦୁଇପକ୍ଷଙ୍କ ଭିତରେ ଗୁଳିବିନିମୟ ଭିତରେ ଅସ୍ତ୍ରଶସ୍ତ୍ର ଛାଡି ପଳାଇଛନ୍ତି ଆତଙ୍କବାଦୀ । ଏହାପରେ ଉକ୍ତ ଅଞ୍ଚଳରେ ସୁରକ୍ଷକର୍ମୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଶ୍ରୀନଗରର ନୁରବାଗ ଅଞ୍ଚଳରେ ୨ ଆତଙ୍କବାଦୀ ଲୁଚିଥିବା ନେଇ ଖବର ମିଳିଥିଲା । ଆଉ ଏହି ସୂଚନାକୁ ଆଧାର କରି ଜମ୍ମୁ-କାଶ୍ମୀର ପୋଲିସ ଓ ସିଆରପିଏଫର ମିଳିତ ଟିମ୍ ନୁରବାଗରେ ପହଞ୍ଚିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆଉ ଏହି ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଆକ୍ରମଣ ହୋଇଥିଲା । ଆଉ ପ୍ରତି ଜବାବରେ ଗୁଳି ଚାଳନା କରିଥିଲେ ଭାରତୀୟ ଯବାନ । ବେଶ କିଛି ସମୟ ଗୁଳିଚାଳନା ପରେ ସ୍ଥିତି ଶାନ୍ତ ପଡିଥିଲା । ଆଉ ଛାନିଆରେ ବନ୍ଧୁକ ଛାଡି ଉକ୍ତ ସ୍ଥାନରୁ ପଳାଇ ଯାଇଥିଲେ ଆତଙ୍କବାଦୀ । ତେବେ ଏହି ଗୁଳି ବିନିମୟରେ କୌଣସି କ୍ଷତି ହୋଇନଥିବା ବେଳେ ଉକ୍ତ ସ୍ଥାନରୁ ଗୋଟିଏ ଏକେ-୪୭ ଓ ଗୋଟିଏ ପିସ୍ତଲ ଉଦ୍ଧାର କରିଛନ୍ତି ଭାରତୀୟ ସୁରକ୍ଷାବାହିନୀ ।

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ମୁଖ୍ୟ ବେଶ ସକ୍ରିୟ ହୋଇ ଉଠିଛି । ଏପରିକି ଆତଙ୍କବାଦୀଙ୍କୁ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରାଇବାକୁ ବାରମ୍ବାର ଉଦ୍ୟମ କରୁଛି ପାକିସ୍ତାନ । ଏପରିକି କିଛି ଆତଙ୍କବାଦୀଙ୍କୁ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରାଇବାରେ ସଫଳ ପାକିସ୍ତାନ ସଫଳ ହୋଇଥିବା କୁହାଯାଉଛି ।