କନକ ବ୍ୟୁରୋ : ଜମ୍ମୁକାଶ୍ମୀରର ନାଗ୍ରୋଟାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ବନ୍ ଟୋଲ ପ୍ଲାଜା ନିକଟରେ ଟ୍ରାଫିକ୍ ଚେକିଂ ବେଳେ , ସେନା ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ । ଏହି ଘଟଣା ପରେ ପରେ ସେନା ଆରମ୍ଭ କରିଛି ଏନକାଉଁଟର । ସେନାର ପାଲଟା ଗୁଳିରେ ଶେଷ ଖବର ସୁଦ୍ଧା ୪ ଆତଙ୍କୀ ନିପାତ ହୋଇ ସାରିଲେଣି । ସୂଚନା ଅନୁସାରେ ନିକଟ ଜଙ୍ଗଲରେ ୩ ଜଣ ଆତଙ୍କବାଦୀ ଛପିଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ପୁରା ଅଂଚଳକୁ ସିଲ୍ କରି ସେନା ଚଳାଇଛି ସର୍ଚ୍ଚ ଅପରେସନ୍ ।
ସୁରକ୍ଷା କାରଣରୁ ପୁରା ଅଂଚଳକୁ ସିଲ୍ କରି ଦିଆଯାଇଛି । ଜମ୍ମୁକାଶ୍ମୀର ଶ୍ରୀନଗର ଜାତୀୟ ରାଜପଥରେ ଗାଡି ଚଳାଚଳକୁ ବର୍ତ୍ତମାନ ପାଇଁ ପୁରା ବନ୍ଦ କରାଯାଇଛି । ସମସ୍ତ ଗାଡି ମୋଟରକୁ ସେନା ଯାଂଚ କରୁଛି । ପୁରା ଅଂଚଳକୁ ନାକାବନ୍ଦି କରାଯାଇଛି । ନାଗ୍ରୋଟାରେ ବନ୍ ଟୋଲ୍ ପ୍ଲାଜା ନିକଟରେ ଆଜି ବଡି ଭୋରରୁ ଟ୍ରାଫିକ୍ ଚେକିଂ ବେଳେ ଏପରି ଆତଙ୍କବାଦୀ ଆକ୍ରମଣ ଘଟିଛି । ଟ୍ରକରେ ସଶସ୍ତ୍ର ଆତଙ୍କବାଦୀ ଆସୁଥିବା ବେଳେ ନାଗ୍ରୋଟାର ବନ୍ ଟୋଲ୍ ପ୍ଲାଜାରେ ସେନା ଗାଡିକୁ ଅଟକାଇ ଯାଂଚ କରିବାକୁ ଆସିବା ସମୟରେ ଟ୍ରକରେ ଲୁଚିଥିବା ଆତଙ୍କବାଦୀ ସେନା ଉପରକୁ ଗୁଳି ମାଡ କରିଥିଲେ ।
ଏହାରି ଭିତରେ କିଛି ଆତଙ୍କବାଦୀ ନିକଟ ଜଙ୍ଗଲକୁ ଖସି ପଳାଇଥିଲେ । ପ୍ରଥମେ ୨ ଆତଙ୍କବାଦୀ ନିପାତ ହୋଇଥିଲେ । ପରେ ଆଉ ୨ ଜଣ ଆତଙ୍କବାଦୀ ଟଳିଛନ୍ତି । ନାଗ୍ରୋଟାର ପୁରା ଅଂଚଳରେ ସୁରକ୍ଷାକୁ ଅଧିକ କଡାକଡି କରାଯାଇଛି । ମୃତ ୪ ଆତଙ୍କବାଦୀ ପାକିସ୍ତାନର ବୋଲି ପ୍ରାଥମିକ ସୂଚନା ମିଳିଛି । ଗୁଇନ୍ଦା ସୂଚନା ଆଧାରରେ ମଧ୍ୟରାତ୍ରିରୁ ସେନା ଗାଡି ଚଳାଚଳ ଉପରେ ରଖିଥିଲା କଡା ନଜର ।