କନକ ବ୍ୟୁରୋ : ସାଂସଦରେ ଶୀତକାଳୀନ ଅଧିବେଶନ ଜାରି ରହିଛି । ଏହି କ୍ରମରେ ଲୋକସଭାରେ ବୈଠକ ଚାଲିଥିବା ବେଳେ ହଠାତ ଦୁଇଜଣ ଅଜଣା ଯୁବକ ସଂସଦ ଭିତରକୁ ପ୍ରବେଶ କରିଥିଲେ । ସେମାନେ ସଂସଦର କଡା ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ସଂସଦ ମଧ୍ୟରେ ପ୍ରବେଶ କରିବା ସମସ୍ତଙ୍କୁ ଚକିତ କରିଛି । ଅଜଣା ଯୁବକ ଦୁଇଜଣ ସଂସଦ ଭିତରେ ପ୍ରବେଶ କରି ଗୋଟିଏ ଚେୟାରରୁ ଅନ୍ୟ ଚେୟାରକୁ ଡେଇଁବା ଓ ସ୍ମୋକ କ୍ୟାଣ୍ଡେଲ ଲଗାଇ ସଂସଦ ଭିତରେ ଧୂଆଁ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀ ଓ ସାଂସଦମାନେ ସଂପୃକ୍ତ ଦୁଇ ଯୁବକଙ୍କୁ ଧରିଥିଲେ । ଏହାପରେ ସଂସଦର ଉଭୟ ସଦନକୁ ସ୍ଥଗିତ ରଖାଯାଇଛି ।
ଏହି ଅଜଣା ଯୁବକ ୨ ଜଣଙ୍କ ମଧ୍ୟରୁ ଜଣଙ୍କର ନାମ ସାଗର ଓ ଦ୍ୱିତୀୟ ଯୁବକଙ୍କ ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଦୁଇ ଯୁବକ ଜୋତା ଭିତରେ ସ୍ମୋକ କ୍ୟାଣ୍ଡେଲ ଲୁଚାଇ ଆଣିଥିଲେ । ଯାହାକୁ ସେମାନେ ସଂସଦ ଭିତରେ ସ୍ପ୍ରେ କରିଥିଲେ । ଏଥିରେ ସଂସଦ ଭିତରେ ବାରୁଦର ଗନ୍ଧ ଖେଳିଯାଇଥିଲା । ସେପଟେ ପୋଲିସର ଆତଙ୍କବାଦୀ ନିରୋଧୀ ସେଲ ଏବେ ଏହି ଦୁଇ ଯୁବକଙ୍କୁ ପଚରା ଉଚରା କରିବାକୁ ପହଂଚିଛି ।
ସେପଟେ ଯେତେବେଳେ ସଂପୃକ୍ତ ଯୁବକ ଦୁଇଜଣ ସଂସଦ ଭିତରେ ପ୍ରବେଶ କରି ଚେୟାର ରୁ ଚେୟାର ଡିଆଁ ମାରୁଥିଲେ ସେତେବେଳେ ସାଂସଦ ମନୋଜ କୋଟକ ଓ ମଲୁକ ନଗର ସେମାନଙ୍କୁ ଧରିଥିଲେ । ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ କାବୁ କରିନେଇଥିଲେ ।
Antecedents being verified. Initial questioning related to security breach and who gave access. Finding out if any connection with those who jumped inside. Multi-agency questioning also likely: Delhi Police sources https://t.co/WTaMsDnfSe
— ANI (@ANI) December 13, 2023
କେବଳ ସେତିକି ନୁହେଁ ଏହା ମଧ୍ୟରେ ସଂସଦ ବାହାରେ ଥିବା ପରିବହନ ଭବନରେ ମଧ୍ୟ ଏଭଳି ଏକ ଘଟଣା ହୋଇଛି । ସେଠାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ୪୨ ବର୍ଷିୟା ମହିଳା ନୀଲମ ଓ ୨୫ ବର୍ଷିୟା ଅମୋଲ ସିନ୍ଦେକୁ ପୋଲିସ ହେପାଜତକୁ ନେଇଛି । ଏମାନେ ବି ପରିବହନ ଭବନ ପାଖରେ ନୀଳ ରଙ୍ଗର ସ୍ମୋକ କ୍ୟାଣ୍ଡେଲ ଜଳାଉଥିଲେ ।