ଅଭିନେତା ସୂର୍ଯ୍ୟାଙ୍କ ବାସଭବନରେ ବଢିଲା ସୁରକ୍ଷା । ଚାରିପଟେ ଜଗି ରହିଛନ୍ତି ପୋଲିସ, ଜୟ ଭୀମ ଫିଲ୍ମକୁ ନେଇ ଦେଖାଦେଇଛି ବିବାଦ ।

268

କନକ ବ୍ୟୁରୋ : ଅଭିନେତା ସୂର୍ଯ୍ୟାଙ୍କ ‘ଜୟ ଭୀମ’ ସିନେମାକୁ ନେଇ ବିବାଦ ଥମୁନି । ଏହି ଫିଲ୍ମକୁ ନେଇ ସୂର୍ଯ୍ୟାଙ୍କୁ ପ୍ରଥମେ ଧମକ ମିଳୁଥିବା ବେଳେ ଏବେ ପିଏମକେର ପଦାଧିକାରୀ ପଲାନିସ୍ୱାମୀ, ସୂର୍ଯ୍ୟାଙ୍କ ଉପରେ ଆକ୍ରମଣ କଲେ ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଆଉ ଏହି ଘୋଷଣା ପରେ ସୂର୍ଯ୍ୟାଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୂର୍ଯ୍ୟାଙ୍କ ଘର ସାମ୍ନାରେ ପୋଲିସ ମୁତୟନ କରାଯାଇଥିବା ବେଳେ ପୁରସ୍କାର ରାଶି ଘୋଷଣା କରିଥିବା ପଲାନିସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଜୟ ଭୀମ ଫିଲ୍ମକୁ ନେଇ ବନିୟାର ସମ୍ପ୍ରଦାୟ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କର ସମ୍ପ୍ରଦାୟର ଛବିକୁ ମଳିନ କରାଯାଉଥିବା ଅଭିଯୋଗ ଆଣିଛି ।

ଗୋଟିଏ ପଟେ ସୂର୍ଯ୍ୟାଙ୍କ ଫିଲ୍ମକୁ ପିଏମକେ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଅନ୍ୟପଟେ ଭିସିକେ ପ୍ରମୁଖ ଏହା ଉପରେ ବଡ ପ୍ରତିକ୍ର୍ରିୟା ଦେଇଛନ୍ତି । ସେ କହିଛନ୍ତି, ଶସ୍ତା ରାଜନୀତି ପାଇଁ ପିଏମକେ ସବୁବେଳେ ବିବାଦ ସୃ୍ଷ୍ଟି କରିଥାଏ । ସେମାନେ କେବଳ ସୂର୍ଯ୍ୟାଙ୍କୁ ଭୟଭୀତ କରୁନାହାନ୍ତି ବରଂ ଏମାନଙ୍କର କାର୍ଯ୍ୟକଳାପ ଲୋକତନ୍ତ୍ର ଓ ସମ୍ବିଧାନ ପାଇଁ ବଡ ବିପଦ । ଲୋକତନ୍ତ୍ରରେ ବିଶ୍ୱାସ କରୁଥିବା ଅଧିକାଂଶ ତାମିଲନାଡୁ ବାସିନ୍ଦା ପିଏମକେକୁ ବିରୋଧ କରନ୍ତି । ତେଣୁ ପୋଲିସ ଏଭଳି ଅସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।

ଅନ୍ୟପଟେ ନଭେମ୍ବର ୧୪ ତାରିଖ ଦିନ ଏହି ଦଳର କର୍ମକର୍ତ୍ତାମାନେ ମୟିଲାଡୁତୁରୈ ସିନେମା ଘର ଉପରେ ଆକ୍ରମଣ କରିଥିଲେ ଓ ମ୍ୟାନେଜରଙ୍କୁ ଜବରଦସ୍ତ ସିନେମାର ସ୍କ୍ରିନିଂ ବନ୍ଦ କରିବାକୁ ଧମକ ଦେଇଥିଲେ । ଏହା ବ୍ୟତୀତ ଏହି ସମୁଦାୟ ଜୟଭୀମ ସିନେମାର ପ୍ରଯୋଜକ ଓ ଅଭିନେତା ସୂର୍ଯ୍ୟାଙ୍କ ବିରୋଧରେ ଆଇନଗତ ନୋଟିସ ବି ପଠାଇଛନ୍ତି ।