ମୁକେଶଙ୍କୁ ବିପଦ । ଘର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ।

233

କନକ ବ୍ୟୁରୋ: ଭାରତର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍ ଅଫ୍ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କ ଉପରେ ଘନୁଛି ବିପଦ । ଦକ୍ଷିଣ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ‘ଆଣ୍ଟିଲିଆ’ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି । ଜଣେ ଟ୍ୟାକ୍ସି ଚାଳକ ଏନେଇ ପୋଲିସକୁ ସୂଚନା ଦେବା ପରେ ମୁକେଶଙ୍କ ଘର ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୂଚନା ମୁତାବକ, ସୋମବାର ଜଣେ ଟ୍ୟାକ୍ସି ଚାଳକ ପୋଲିସକୁ ମୁକେଶଙ୍କ ଉପରେ ଥିବା ବିପଦ ଉପରେ ସୂଚନା ଦେଇଥିଲା । ଦୁଇ ଜଣ ଲୋକ ମୁକେଶଙ୍କ ବାସଭବନ ଆଣ୍ଟିଲିଆ ବାବଦରେ କିଛି ତଥ୍ୟ ନେଇ ଆଲୋଚନା କରୁଥିବା ଶୁଣିବାକୁ ପାଇଥିଲେ ଟ୍ୟାକ୍ସି ଚାଳକ । ସେମାନଙ୍କ ପାଖରେ ଏକାଧିକ ବଡବଡ ବ୍ୟାଗ୍ ମଧ୍ୟ ଥିଲା । ଏନେଇ ଚାଳକ ଜଣଙ୍କ ତୁରନ୍ତ ପୋଲିସକୁ ଖବର ଦେବା ପରେ ତାଙ୍କ କହିବା ମୁତାବକ ୨ ସନ୍ଦିଗ୍ଧଙ୍କ ସ୍କେଚ୍ ପ୍ରସ୍ତୁତ କରାଯାଇ ଚାରିଆଡେ ଛାନବିନ କରିଥିଲା ପୋଲିସ । ସେହି ରାସ୍ତାକୁ ଯୋଗ କରୁଥିବା ସମସ୍ତ ରାସ୍ତାର ସିସିଟିଭି ଫୁଟେଜ୍କୁ ମଧ୍ୟ ଯାଞ୍ଚ କରାଯିବା ସହ ଗାଡି ଗୁଡିକୁ ଯାଞ୍ଚ କରାଯାଉଛି ।

ମୁକେଶଙ୍କ ଘର ଚାରିପଟେ ଡଗ୍ ସ୍କ୍ୱାଡ୍, ର୍ୟାପିଡ୍ ଆକ୍ସନ୍ ଫୋର୍ସ ଓ ଅନ୍ୟ ସୁରକ୍ଷା ବଳକୁ ମୁତୟନ କରରାଯାଇଛି । ଏପରି ସମ୍ବେଦନଶୀଳ ଘଟଣାରେ ମୁମ୍ବାଇ ପୋଲିସ ଯାଞ୍ଚ କଡାକଡି କରୁଛି । ଏହା ପୂର୍ବରୁ ମଧ୍ୟ ମୁକେଶଙ୍କୁ ଏପରି ଧମକ ମିଳିଥିଲା । ଫେବୃଆରୀ ମାସରେ ତାଙ୍କ ବାସଭବନ ନିକଟରୁ ୨୦ଟି ଜିଲେଟିନ୍ ଷ୍ଟିକ୍ ସହ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯାହା ମୁମ୍ବାଇ ପୋଲିସକୁ ଚିନ୍ତାରେ ପକାଇଥିଲା ।