ଭାରତ ବନ୍ଦକୁ ନେଇ ସବୁ ବିଭାଗକୁ ଗୃହ ବିଭାଗର ଚିଠି । ୯.୩୦ ସୁଦ୍ଧା କର୍ମଚାରୀଙ୍କୁ ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ, ୧୦ଟା ୧୫ ସୁଦ୍ଧା ବନ୍ଦ ହେବ ଲୋକସେବା ଭବନ ଗେଟ ।

687

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ବନ୍ଦ । ନାଗରିକତା ସଂଶୋଧନ ଆଇନର ପ୍ରତ୍ୟାହାର ଭଳି ୧୪ ଦଫା ଦାବି ନେଇ ମୋଦି ସରକାର ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନ ଗୁଡିକ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛନ୍ତି । ଆଉ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି କଂଗ୍ରେସ । କଂଗ୍ରେସ ସମର୍ଥନ ଦେବା ପରେ ବନ୍ଦର ପ୍ରଭାବ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ଆନ୍ଦୋଳନଠାରୁ ନିଜକୁ ଦୂରେଇ ରଖିଛିି ବିଜୁ ଜନତା ଦଳ ।

ଆଉ ଏସବୁ ଭିତରେ ଭାରତ ବନ୍ଦକୁ ନେଇ ବିଭିନ୍ନ ବିଭାଗକୁ ଗୃହ ବିଭାଗ ଚିଠି ଲେଖିଛି । ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନକୁ ଚିଠି ଲେଖିଛି ଗୃହ ବିଭାଗ । ଏହାସହ ସମସ୍ତ କର୍ମଚାରୀଙ୍କୁ ସକାଳ ସାଢେ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସର ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତ କର୍ମଚାରୀ ଲୋକସେବା ଭବନରେ ପହଞ୍ଚିବା ପରେ ୧୦ଟା ୧୫ ସୁଦ୍ଧା ଲୋକସେବା ଭବନ ଗେଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ ସ୍ୱତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ରହିବ ଲୋକସେବା ଭବନ । ଏପରିକି ଲୋକସେବା ଭବନକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର କଡାକଡି ଯାଞ୍ଚ କରାଯିବା ପରେ ଭିତରକୁ ଛଡାଯିବା ନେଇ ଚିଠି ଲେଖିଛି ଗୃହ ବିଭାଗ ।

ଆସନ୍ତାକାଲି ହେବାକୁ ଥିବା ଭାରତ ବନ୍ଦ ଆନ୍ଦୋଳନକୁ ଘରୋଇ ବସ ମାଲିକ ସଂଘ ସମର୍ଥନ ଜଣାଇବା ସହ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ତେବେ ମୋ ବସ୍ ପୂର୍ବଭଳି ଚଳାଚଳ କରିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ତେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।