ଆଜି କୋଟିଆରେ ଆନ୍ଧ୍ର ନିର୍ବାଚନ : ୨୧ଟି ଗାଁରେ ୧୪୪ ଧାରା ଜାରି କଲେ ଓଡ଼ିଶା ସରକାର

ପ୍ରତି ଜିଲ୍ଲା ପାଇଁ ଜଣେ ଲେଖେ ମାଜିଷ୍ଟ୍ରେଟ ନିଯୁକ୍ତ; ଅନ୍ୟ ପକ୍ଷରେ ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା

74

କନକ ବ୍ୟୁରୋ :  ଆନ୍ଧ୍ର ହାଇକୋର୍ଟ ଦେଇଥିବା ଆଦେଶକୁ ବଦଳାଇଛନ୍ତି । ପଞ୍ଚାୟତ ନିର୍ବାଚନ ଏବଂ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ସବୁଜ ସଂକେତ ଦେଇଛନ୍ତି । ଏହାପରେ କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା । ଗୋଟିଏ ପଟେ ଆନ୍ଧ୍ର ପ୍ରଶାସନ ନିର୍ବାଚନ ପାଇଁ ସଜବାଜ ହେଉଥିବା ବେଳେ ଅନ୍ୟପଟେ କୋରାପୁଟ ଜିଲ୍ଲା ପ୍ରଶାସନ ଲାଗୁ କରିଛି ୧୪୪ ଧାରା । ଯାହାକି ପୂରା ନିର୍ବାଚନ ପ୍ରକ୍ରିୟାକୁ ରୋଚକ ମୋଡ ଦେଇଛି । ପରିସ୍ଥିତି ମୁହାଁମୁହିଁ ହେଲା ଭଳି ସୃଷ୍ଟି ହୋଇଛି ।

ନିର୍ବାଚନକୁ ପ୍ରତିହତ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି । କୋଟିଆ ଗ୍ରାମପୁଞ୍ଜର ୨୨ ଗାଁରେ ଧାରା ୧୪୪ ଲାଗୁ କରିଛି । ୨୨ଗାଁ ପାଇଁ ୨୨ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି । କୋଭିଡ୍ କଟକଣା ଦର୍ଶାଇ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଛି। ଫାଟୁସେନେରୀ ଓ ନାରେଡିବାଲସାରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ କଡ଼ା କଟକଣା ଲାଗୁ ହୋଇଥିବା ଯୁକ୍ତି ବାଢ଼ିଛି ଜିଲ୍ଲା ପ୍ରଶାସନ। ସେହିପରି ୨୨ ଗାଁରେ ବ୍ୟାପକ ପୁଲିସ ଫୋର୍ସ ଆଜିଠାରୁ ମୁତୟନ କରାଯାଇ ସାରିଲାଣି।

ଜିଲ୍ଲାପାଳ ଅବଦଲ୍‌ ଏମ. ଅଖତର, ଏଡିଏମ ଦେବେନ ପ୍ରଧାନ, କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲ୍ଲୀ ସହ ବହୁ ବରିଷ୍ଠ ଅଧିକାରୀ ଆଜି ଏଠାରେ ରହି ସ୍ଥିତି ଉପରେ ନଜର ରଖିଥିଲେ। ଦୁଇଟି ଗାଁକୁ କଣ୍ଟେନମେଣ୍ଟ୍ ଜୋନ୍ କରାଯାଇଛି। ଏହି ଦୁଇ ଗାଁରେ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲାଗିଛି ବୋଲି ଜିଲ୍ଲାପାଳ କହିଛନ୍ତି। ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ନେତା ବି କୋଟିଆରେ ଡେରା ପକାଇଛନ୍ତି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀଙ୍କ ସହ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଓ ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି ପ୍ରମୁଖ ଆନ୍ଧ୍ର-ଓଡ଼ିଶା ସୀମାରେ ଧାରଣା ଦେଇଛନ୍ତି। ଆନ୍ଧ୍ର ସରକାରଙ୍କ ଚକ୍ରାନ୍ତ ବିରୋଧରେ ବି ଏହି ନେତାମାନେ ସୀମାନ୍ତରେ ଗର୍ଜିଛନ୍ତି।

କୋଟିଆ ଦାୟିତ୍ବରେ ରହିଥିବା ବରିଷ୍ଠ ପ୍ରଶାସକ ଶରତ ଧଳ କହିଛନ୍ତି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏହାସହ ୨୨ଜଣ ବରିଷ୍ଠ ଅଧିକାରୀଙ୍କୁ ମାଜିଷ୍ଟ୍ର‌େଟ ଦାୟିତ୍ବ ପ୍ରଦାନ କରାଯାଇଛି। ପୁଲିସ ଫୋର୍ସ ବି ଏଠାରେ ରହିବ ବୋଲି ଜଣାଇଛନ୍ତି । ଏଏସ୍‌ପି ଉତ୍କଳ ରଞ୍ଜନ ଦାସ କହିଛନ୍ତି ଯେ କରୋନା ବଢ଼ିବା ଆଶଙ୍କା ରହିଥିବାରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି ।

Comments are closed.