ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡା ସହର ସମେତ ପାଖ ୪ପଞ୍ଚାୟତରେ ୧୪୪ ଧାରା ଲାଗୁ । ୫ରୁ ଅଧିକ ଲୋକ ଏକାଠି ହେବା ଉପରେ ସପ୍ତାହେ ପର୍ଯ୍ୟନ୍ତ କଟକଣା

222

କନକ ବ୍ୟୁରୋ : ହାଇଦରର ଏନକାଉଣ୍ଟର ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସଜାଗ ହୋଇଛି । ହାଇଦର ଗାଁରେ ଉତେଜନା ପ୍ରକାଶ ପାଇବା ଆଶଙ୍କା ଥିବାରୁ ପୁଲିସ ପକ୍ଷରୁ ମୁନସିପାଲିଟି ସମେତ ଗୁଲନଗର, ବାରିମୂଳ, କପାଳେଶ୍ୱର ଓ ଜମଧର ପଞ୍ଚାୟତରେ ୧୪୪ ଧାରା ଲାଗୁ ହୋଇଛି । ଏହି କଟକଣା ୨୪ ତାରିଖ ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବଳବତର ରହିବ ।
ଏହି ସମୟରେ କୌଣସି ସ୍ଥାନରେ ୫ଜଣ ଏକାଠି ହେବା ଉପରେ କଟକଣା ଲଗାଯାଇଛି । ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ତେଜରାତି, ପରିବା ଓ ମାଛ ଦୋକାନ ଖୋଲା ରହିବ । ଅନ୍ୟ ଦୋକାନ ବନ୍ଦ ରହିବ । ଦିନ ୧୧ଟା ପରେ ଗାଡି ଚଳାଚଳ ଉପରେ କଟକଣା ରହିବ । ହାଇଦାର ମୃତ୍ୟୁ ପରେ ତା ସମ୍ପର୍କୀୟଙ୍କର ପ୍ରତିକ୍ରିୟା କଣ ରହିବ, ତାଉପରେ ସତର୍କ ଦୃଷ୍ଟି ରଖିଛି ପୁଲିସ ।
ସେପଟେ, ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା କୁଖ୍ୟାତ ଗାଙ୍ଗଷ୍ଟର ସେକ୍ ହାଇଦରର ଆଜି ଶବବ୍ୟବଛେଦ କରାଯିବ । ବ୍ୟବଛେଦ ପରେ ହାଇଦରର ମୃତ ଦେହକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୋଲିସ ଏନକାଉଁଟରରେ ହାଇଦରର ମୃତ୍ୟୁ ହେବା ଖବର ଜଣାପଡିବା ପରେ ମୃତ ଦେହ ପରିବାର ଲୋକଙ୍କୁ ଦେବା ପାଇଁ ସମ୍ପର୍କୀୟମାନେ ଦାବି କରିଥିଲେ । ଗତକାଲି ଭେଟେରାନ ଗ୍ୟାଙ୍ଗଷ୍ଟର ହାଇଦରକୁ ବାଲେଶ୍ୱରର ସିମୁଳିଆଠାରେ ଏନକାଉଂଟର କରିଥିଲା ପୋଲିସ ।