ବିରୋଧୀଙ୍କ ପାଇଁ ଅଭେଦ୍ୟଗଡ଼ ଉତ୍ତରପ୍ରଦେଶର ହାଥରସ୍ । ଲାଗିଲା ୧୪୪ ଧାରା, ମିଡିଆକୁ ବି ମନା, ରାହୁଲଙ୍କ ପରେ ଟିଏମସି ନେତା ଡେରେକ ଓବ୍ରାଏନ ହେଲେ ହଟହଟା । 

159

କନକ ବ୍ୟୁରୋ: ହାଥରସର ସତ ଲୁଚାଇବାକୁ ୟୁପି ପୋଲିସର ଉଦ୍ୟମ । ଗାଁ ସାମ୍ନାରେ ଜଗିରହିଛି ପୋଲିସ । ହାଥରସ ଜିଲ୍ଲାର ସୀମାକୁ ସିଲ୍ କରିଦିଆଯିବା ସହ ବୁଲଗାଡୀ ଗାଁରେ ୧୪୪ଧାରା ଜାରି କରାଯାଇଛି । ବିରୋଧୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଁ ମନା ହୋଇଛି । କଣ ଏମିତି ସତ ଅଛି ଯାହା ଲୁଚାଇବା ପାଇଁ ପ୍ରାଣପ୍ରଣେ ପ୍ରୟାସ କରୁଛି ଉତରପ୍ରଦେଶ ପୋଲିସ । ଗଣମାଧ୍ୟମକୁ ଗାଁକୁ ପ୍ରବେଶ କରିବାକୁ ବାରଣ କରାଯାଇଥିବା ବେଳେ କୌଣସି ନେତାଙ୍କୁ ମଧ୍ୟ ଗାଁକୁ ଛଡାଯାଉନି । ସେପଟେ ଘଟଣାର ତଦନ୍ତ କରୁଥିବା ଏସଆଇଟି ପୀଡିତାଙ୍କ ଘରକୁ ଯାଇ ପଚରାଉଚରା ଜାରି ରଖିଛି । ତେବେ ଆଇନ ଶୃଙ୍ଘଳା ଦୃଷ୍ଟିରୁ ଏସଆଇଟିର ତଦନ୍ତ ଚାଲିଥିବା ଯାଏଁ ଗାଁରେ କଟକଣା ବଳବତର ରହିବ ବୋଲି ହାଥରସ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ମୂଳରୁ ସନ୍ଦେହ ଘେରରେ ରହିଛି ୟୁପି ପୋଲିସ । ଆଉ ଏବେ ରାଜ୍ୟ ଆଇନ ଶୃଙ୍ଖଳା ଏଡିଜିଙ୍କ ବୟାନ ପୁରା ଘଟଣା ଉପରେ ସନ୍ଦେହକୁ ଆହୁରି ବଢାଇ ଦେଇଛି । କାରଣ ହାଥରସର ଯୁବତୀଙ୍କ ସହ ଦୁଷ୍କର୍ମ ହୋଇନଥିବା କହିଛନ୍ତି ଏଡିଜି ପ୍ରଶାନ୍ତ କୁମାର । ଯେଉଁ ଘଟଣାକୁ ନେଇ ଏତେ ତମ୍ବି ତୋଫାନ ।
ଗାଁରେ କଡାକଡି କଟକଣା ଲଗାଇଛି ୟୁପି ପୋଲିସ । ଗାଁକୁ ଯିବାଆସିବା କରୁଥିବା ଲୋକଙ୍କୁ ଆଧାର କାର୍ଡ ଯାଂଚ ପରେ ଛଡାଯାଉଛି । ସେପଟେ ଘଟଣା ପ୍ରତିବାଦରେ ଗାଁଲୋକେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାଥରସ ଗଣଦୁଷ୍କର୍ମ ଘଟଣା ବିରୋଧରେ ଦେଶର ବିଭିନ୍ନ ଅଂଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦିଲ୍ଲୀରେ କଂଗ୍ରେସ କର୍ମୀ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରି ନ୍ୟାୟ ଦାବି କରିଛନ୍ତି । ସେହିପରି ଲକ୍ଷେ୍ନøରେ ସମାଜବାଦୀ ପାର୍ଟି କର୍ମକର୍ତା ମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି ।
୧୪ ସେପ୍ଟେମ୍ବରରେ ମାଆଙ୍କ ସହ କ୍ଷେତକୁ ଯାଇଥିବାବେଳେ ହାଥରସର ଏହି ୧୯ ବର୍ଷର ଝିଅ ସହ ଅମାନବୀୟ ଅତ୍ୟାଚାର କରିଥିଲେ ସେହି ଗାଁର ୪ ଜଣ ଯୁବକ । ଗଣଦୁଷ୍କର୍ମ କରିବା ପରେ ପାଟି ଚୁପ କରିଦେବା ପାଇଁ ଗଳାକୁ ଏତେ ଜୋରରେ ଚିପି ଧରିଥିଲେ ଯେ, ତାଙ୍କ ଜିଭ ଝିଣ୍ଡି ଯାଇଥିଲା । ଜୀବନରୁ ମାରି ଦେବାପାଇଁ ପିଟି ପିଟି ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଅଭିଯୋଗ ପରେ ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏପରିକି ମୃତ୍ୟୁ ପରେ ପୀଡିତାଙ୍କ ମୃତଦେହକୁ ପରିବାରର ଅନୁପସ୍ଥିତିରେ କାହିଁକି ସଂସ୍କାର କଲା ପୋଲିସ ତାକୁ ନେଇ ମଧ୍ୟ ସନ୍ଦେହ ଘେରରେ ରହିଛି ୟୁପି ପୋଲିସର ଭୂମିକା ।
ସେପଟେହାଥରସ୍ ଗଣଦୁଷ୍କର୍ମ ଘଟଣା, ହାଥରସର ଏସପି ଓ ଡିଏସପିଙ୍କ ନିଲମ୍ବିତ । ଏହାସହ ସ୍ଥାନୀୟ ଇନ୍ସପେକ୍ଟର ସମେତ ଅନେକ ପୋଲିସ୍ ଅଧିକାରୀଙ୍କୁ ନିଲମ୍ବିତ କଲେ ଯୋଗୀ ସରକାର । ପ୍ରାଥମିକ ତଦନ୍ତ ରିପୋର୍ଟ ଯାଞ୍ଚ ଆଧାରରେ ହାଥରସର ଏସପି, ଡିଏସପି,  ସ୍ଥାନୀୟ ଇନ୍ସପେକ୍ଟରଙ୍କୁ ନିଲମ୍ବନର ନିର୍ଦ୍ଦେଶ ଜାରି କରିଛନ୍ତି ଯୋଗୀ ସରକାର ।