ବାରୁଣି ସ୍ନାନ ଉପରେ ପ୍ରଶାସନର କଟକଣା : ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ଲାଗିଲା ୧୪୪ ଧାରା 

ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଜନସାଧାରଣଙ୍କୁ ଜିଲ୍ଲାପାଳଙ୍କ ନିବେଦନ 

173

କନକ ବ୍ୟୁରୋ : ବାରୁଣି ସ୍ନାନ ଉପରେ ପ୍ରଶାସନର କଟକଣା । ପବିତ୍ର ବୈତରଣୀ ନଦୀରେ ବାରୁଣୀ ସ୍ନାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି । କୌଣସି ଲୋକ ଏଠାକୁ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ସୂଚନା ଅନୁସ‌ାରେ ଆସନ୍ତାକାଲି ବାରୁଣୀ ସ୍ନାନ ଯୋଗ ଥିବାରୁ ପବିତ୍ର ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଓ ଏହାର ଆଖପାଖ ଘାଟଗୁଡ଼ିକରେ କଟକଣା ଲାଗୁ । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇ ପିଣ୍ଡଦାନ କରିବାକୁ ଆସିବାର ଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି । ଫଳରେ ଏହି ସ୍ଥାନକୁ ଆସନ୍ତାକାଲି ପାଇଁ ୧୪୪ ଜାରି କରାଯିବା ସହ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଏଥିପାଇଁ ସ୍ଥାନୀୟ ତହସିଲ ଓ ପୁଲିସ ପ୍ରଶାସନ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରି କିପରି ଏଠ‌ାରେ ଶ୍ରଦ୍ଧାଳୁଙ୍କୁ ଏକତ୍ରିତ ହେବାକୁ ସୁଯୋଗ ଦିଆନଯିବ ସେ ନେଇ ବ୍ୟବସ୍ଥା କରାଯିବ। ତେଣୁ ସରକାରଙ୍କ ନିର୍ଦ୍ଦେଶ ଓ ପ୍ରଶାସନିକ କଟକଣା ମାନି କୌଣସି  ଶ୍ରଦ୍ଧାଳୁ  ସ୍ନାନ ପାଇଁ ନ ଆସିବାକୁ ପ୍ରଶାସନ ଅନୁରୋଧ କରିଛି ଓ ଯିଏ ନିୟମ ଉଲ୍ଲଂଘନ କରିବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।