କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ଗୁପ୍ତ ଧନ ଖୋଜାଯିବ । ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରିବା ପାଇଁ ପରିଚାଳନା କମିଟିକୁ ଅନୁମୋଦନ କରାଯାଇଛି । ବୈଠକ ପରେ ଏହି ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଫଳରେ ଭିତର ଭଣ୍ଡାରରେ ଗୁପ୍ତଧନ ଥିବା ଚର୍ଚ୍ଚା ଉପରୁ ପରଦା ହଟିବ । କାରଣ ରତ୍ନଭଣ୍ଡାର ଖୋଲିବା ସମୟରେ ଚର୍ଚ୍ଚାକୁ ଆସିଥିଲା, ଭିତର ଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଅମୁହାଁ ଦେଉଳ ଥିବା ଜନଶ୍ରୁତିକୁ ନେଇ । ଶ୍ରୀଜଗନ୍ନାଥ ସଂପର୍କିତ ବିଭିନ୍ନ ପୁସ୍ତକରେ ମଧ୍ୟ ଭିତର ଭଣ୍ଡାରରେ ଗୁପ୍ତଧନ ଥିବା ଉଲ୍ଲେଖ ରହିଛି । ତେଣୁ ଭବିଷ୍ୟତରେ ଯେପରି ଏସଂପର୍କିତ କୌଣସି ସନ୍ଦେହ କାହା ମନରେ ନରହିବ ସେଇଥି ପାଇଁ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଯାଂଚ କରାଯିବ । ଭିତର ରତ୍ନଭଣ୍ଡାର ଥିବା ରତ୍ନ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରିବା ପରେ ସିନ୍ଦୁକ ଓ ଆଲମିରା ରହିଛି । ଭିତର ଭଣ୍ଡାରରୁ ରତ୍ନଅଳଙ୍କାର ସ୍ଥାନାନ୍ତର କରିବା ପରେ ଗୁପ୍ତ ଧନ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଜଷ୍ଟିସ ବିଶ୍ବନାଥ ରଥ କହିଥିଲେ, ଆଲମିରା ଓ ସିନ୍ଦୁକ କାନ୍ଥକୁ ଲାଗିକି ରହିଛି । ତେଣୁ ଆଲମିରା ଓ ସିନ୍ଦୁକ ପଛରେ କଣ ଅଛି ତାହା ଜାଣିବା ସମ୍ଭବ ହୋଇନାହିଁ । ଏବେ ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର କରିବା ପରେ ପ୍ରତ୍ନତତ୍ବ ବିଭାଗ ପକ୍ଷରୁ ଭିତର ଭଣ୍ଡାରକୁ କ୍ଷତି ନପହଂଚାଇବା ଭଳି ଯନ୍ତ୍ରାଂଶରେ ଯାଂଚ କରାଯିବ ବୋଲି କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଖାଲି ଆଲମିରା ଓ ସିନ୍ଦୁକ ରଖିବାକୁ ସ୍ଥାନ ନିର୍ଦ୍ଧାରଣ କରିବ ମନ୍ଦିର ପରିଚାଳନା କମିଟି। ନୂଆ ଏସଓପି ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପଠାଯିବ। ରତ୍ନଭଣ୍ଡାର ମରାମତି ପରେ ମଣିତ ଗଣତି ହେବ। ନୀତିକାନ୍ତି ଓ ଦର୍ଶନରେ ଯେପରି ବାଧା ନ ଉପୁଜିବ ତାହାକୁ ନଜରରେ ରଖାଯାଇଛି । ଏଥିପାଇଁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇଛି ବୋଲି ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି ।