କନକ ବ୍ୟୁରୋ : ଲୋକଶ୍ରୁତି ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଣ୍ଡାରଘରର ରକ୍ଷକ ସ୍ୱୟଂ ପ୍ରଭୁ ଲୋକନାଥ। ସେଥିପାଇଁ ବିଷଧର ସାପସବୁ ଶ୍ରୀଜିଉଙ୍କ ଭଣ୍ଡାରଘରକୁ ଯଗି ରହିଥିବା ନେଇ ଲୋକମୁଖରୁ ଶୁଣାଯାଏ। ତେଣୁ ସରକାରଙ୍କ ଦ୍ବାରା ଚୟନ କମିଟିରେ ଥିବା ରତ୍ନଭଣ୍ଡାର ସବ୍-କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ଫୋନ ପାଇବା ପରେ ଖୁସି ହୋଇଥିଲେ ସତ, କିନ୍ତୁ ପରିବାର ଲୋକଙ୍କ ଭିତରେ ଭୟ ବଢି ଯାଇଥିଲା। ୨୦୧୮ରେ ଯାଇଥିବା ଟିମ୍ ଝୁଣ୍ଟିପଡି କ୍ଷତାକ୍ତ ହୋଇଥିବା ମଧ୍ୟ ସେ ଶୁଣିଥିଲେ। ଯାହା ତାଙ୍କ ଭୟ ଓ ସଂଶୟକୁ ବଢାଇ ଦେଇଥିଲା । ସେଥିପାଇଁ ୧୧ ଜଣିଆ ଟିମ୍ ଭିତରଭଣ୍ଡାରକୁ ପ୍ରବେଶ କଲାବେଳେ ନିରନ୍ତର ବିଷ୍ଣୁ ସହଶ୍ରନାମ ଓ ହନୁମାନ ଚାଳିସା ଆଦି ବୋଲୁଥିଲେ ବୋଲି କହିଛନ୍ତି ଦୁର୍ଗ ଦାସମହାପାତ୍ର ।

Advertisment

ଚାବିରେ ଭିତର ରତ୍ନଭଣ୍ଡାର ନଖୋଲିବାରୁ ତାଲା ଭାଙ୍ଗି ପ୍ରବେଶ କରିଥିଲେ ଟିମ୍ । ଆଉ ସମସ୍ତେ ପ୍ରଥମେ ଡାହାଣ ଗୋଡ ପକାଇ ଭିତର ଭଣ୍ଡାରକୁ ପ୍ରବେଶ କରିବାକୁ ନିଷ୍ପତ୍ତି କଲେ । ଠଣାର ପ୍ରତିକାତ୍ମକ ଚିତ୍ର... ଭିତର ଭଣ୍ଡାର ଖୋଲି ପ୍ରବେଶ କରିବା ପରେ ଲାଇଟ ପକାଇ ଦେଖିଥିଲେ । ଏତିକିବେଳେ ତାଙ୍କର ପ୍ରଥମେ ନଜର ପଡିଥିଲା କୋଠରୀ ଭିତରେ ଥିବା ଏକ ଠଣା ଉପରେ । ଯେଉଁଥିରେ ଏକାଧିକ ଛୋଟଛୋଟ ଦେବାଦେବୀଙ୍କ ମୂର୍ତ୍ତି ରହିଥିଲା । ଦୀର୍ଘଦିନ ଧରି ମୂର୍ତ୍ତିଗୁଡିକ ରହିଥିବାରୁ ମଳିନ ପଡି କଳା ହୋଇଯାଇଥିଲା । ଏହାପରେ କୋଠରୀ ଭିତରେ ଏକାଧିକ ଆଲମାରୀ ଓ ସିନ୍ଦୁକ ଥିବା ସେ ଦେଖିଛନ୍ତି । କିଛି କାଠରେ ନିର୍ମିତ ଓ କିଛି ଲୁହାରେ ତିଆରି ଆଲମାରୀ ଓ ସିନ୍ଦୁକ । ଭିତର ଭଣ୍ଡାରରେ ଥିବା ସିନ୍ଦୁକଗୁଡିକ ମଧ୍ୟ ବ୍ରିଟିସ ଅମଳର ସିନ୍ଦୁକ ପରି । କିନ୍ତୁ ସେଗୁଡିକୁ ହାତ ମାରିନାହାନ୍ତି କମିଟି ସଦସ୍ୟ ।

ସେହିପରି ଶ୍ରୀମନ୍ଦିର ବୈଷିୟିକ କମିଟି ସହ ପ୍ରାୟ ୨୫ ବର୍ଷ ଧରି ଜଡିତ ଜଣେ ଅଧିକାରୀ ଭିତର ରତ୍ନଭଣ୍ଡାର ବାବଦରେ ବର୍ଣ୍ଣନା କରିଛନ୍ତି। ତାଙ୍କ ସୂଚନା ଅନୁସାରେ
ଭିତର ରତ୍ନଭଣ୍ଡାରର ଲମ୍ୱ ଏବଂ ଓସାର ପ୍ରାୟ ୧୫ ଫୁଟ୍ ଲେଖାଏଁ
ଏହାର ଉଚ୍ଚତା ପ୍ରାୟ ୫୦ରୁ ୫୫ ଫୁଟ୍ ହେବ
ଭିତର ଭଣ୍ଡାରରେ କାନ୍ଥରୁ କିଛି ଭାଙ୍ଗି ତଳେ ପଡିଛି
ଭିତର ରତ୍ନଭଣ୍ଡାରରେ ୫ଟି ଆଲମାରୀ ଓ ୪ଟି ସିନ୍ଦୁକ ରହିଛି
ଗୋଟିଏ ଆଲମାରୀ ଓ ଗୋଟିଏ ସିନ୍ଦୁକ ଲୁହାରେ ତିଆରି ବୋଲି ଜଣାପଡୁଛି
ଆଲମାରୀଗୁଡିକର ଉଚ୍ଚତା ୧୦ରୁ ୧୨ ଫୁଟ୍ ହେବ
ଆଲମାରୀ ପଛରେ ସୁଡଙ୍ଗ ଭଳି କିଛି ରହିଛି
ଅବଶ୍ୟ ସାମ୍ନାରେ ଆଲମାରୀ ଥିବାରୁ ଗୁମ୍ଫା କିମ୍ବା ଗର୍ତ୍ତ ଦେଖିପାରିନଥିବା କହିଛନ୍ତି ଭିତରକୁ ଯାଇଥିବା ରତ୍ନଭଣ୍ଡାର ସବ୍-କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର।

ତେବେ ୧୧ ଜଣ ସଦସ୍ୟ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ଯାଇ ସୁରକ୍ଷିତ ଫେରିଆସିବା ପରେ ସବୁ ଲୋକଶ୍ରୁତି ଭୁଲ ପ୍ରମାଣିତ ହୋଇଛି । ତଥାପି ମରାମତି ସହ ରତ୍ନ ଅଳଙ୍କାରର ଗଣତି ଓ ମଣତି ପାଇଁ ଦିନ ଧାର୍ୟ୍ୟ ହେଲେ ଓ ଟିମ୍ ପୁଣି ଭିତରକୁ ଗଲେ ଆଉକିଛି ରହସ୍ୟ ଉପରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି ।