କନକ ବ୍ୟୁରୋ : ହସ୍ପିଟାଲ ତଳେ ବିରାଟ ସୁଡ଼ଙ୍ଗ । ଆଉ ଏହି ସୁଡ଼ଙ୍ଗରେ ରହିଛି ସବୁପ୍ରକାର ସୁବିଧା । ହେଲେ ଏହା ରୋଗୀଙ୍କ ପାଇଁ ନୁହେଁ ବରଂ ଆତଙ୍କୀ କାର୍ଯ୍ୟକଳାପ ପାଇଁ । ଆତଙ୍କୀ ସଂଗଠନ ହମାସର ଏପରି କଳା କାରନାମା ଏବେ ପଦାକୁ ଆସିଛି । ହସ୍ପିଟାଲ ତଳେ ବିରାଟ ସୁଡ଼ଙ୍ଗ କରି ସେଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା ହମାସ୍ । ଗାଜାର ସବୁଠୁ ବଡ଼ ହସ୍ପିଟାଲ ହେଉଛି ଅଲ୍-ସିଫା ହସ୍ପିଟାଲ । ଏହାରି ତଳେ ଏତେ ବଡ଼ ସୁଡ଼ଙ୍ଗ ତିଆରି କରିଥିଲା ହମାସ୍ । ଏହି ସୁଡ଼ଙ୍ଗର ଲମ୍ବା ଥିଲା ୧୫୦ ମିଟର । ସୁଡ଼ଙ୍ଗ ଯେଉଁଠାରେ ସରୁଥିଲା, ସେଠାରେ ଆତଙ୍କବାଦୀଙ୍କ ଲୁଚି ରହିବା ପାଇଁ ଛୋଟ ଛୋଟ ଘର ଥିଲା, ଘରେ ଏୟାର କଣ୍ଡିସନର ରହଥିଲା । ରୋଷେଇ ଘର, ଗାଧୋଇବା ଘର ଓ ବିଛଣା ରହିଥିଲା । ଇସ୍ରାଏଲ୍ ସେନା ଗାଜାରେ ନିଜର ଅଭିଯାନ ଚଳାଇଥିବା ବେଳେ ଏପରି ସୁଡ଼ଙ୍ଗକୁ ଠାବ କରିଛି । ଏହାସହ ଏହି ସୁଡ଼ଙ୍ଗକୁ ବିଦେଶୀ ଗଣମାଧ୍ୟକୁ ମଧ୍ୟ ଦେଖାଯାଇଛି । ହସ୍ପିଟାଲକୁ ଅଡ୍ଡା କରି ହମାସ୍ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଛି ବୋଲି ଇସ୍ରାଏଲ ପ୍ରଥମରୁ ଦାବି କରିଆସୁଥିଲା । ସାଧାରଣ ଲୋକଙ୍କୁ ଢାଲ କରି ଆତଙ୍କୀ ହମାସ୍ ଇସ୍ରାଏଲ୍ ସେନା ଆକ୍ରମଣରୁ ନିଜକୁ ବଂଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ ହୋଇଆସୁଥିଲା । ହସ୍ପିଟାଲ ତଳେ ଏହି ସୁଡ଼ଙ୍ଗ ଠାବ ହେବା, ଏହି କଥାକୁ ଏକପ୍ରକାର ସତ ପ୍ରମାଣିତ କରିଛି । ଇସ୍ରାଏଲ ସେନା ଗାଜାରେ ସ୍ଥଳ ଅଭିଯାନ କରିବା ପରେ ଗୋଟିଏ ପରେ ସୁଡ଼ଙ୍ଗ ଠାବ କରିଛି, ଆଉ ହସ୍ପିଟାଲ ଭିତରେ ଆତଙ୍କବାଦୀ ଲୁଚି ରହିଥିବା ଦାବି କରି ସେଠାରେ ମଧ୍ୟ ଅଭିଯାନ କରିଥିଲା ଆଇଡିଏଫ । ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରୁ ଇସ୍ରାଏଲ ସେନାକୁ ସମାଲୋଚନା ମଧ୍ୟ କରାଯାଇଛି । ତେବେ କେବଳ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଇସ୍ରାଏଲ କହିଆସିଛି । ସେପଟେ ଯୁଦ୍ଧକୁ କିଛି ଦିନ ପାଇଁ ସାମୟିକ ଭାବେ ବନ୍ଦ କରି ପଣବନ୍ଦୀ ମୁକ୍ତ କରାଯିବା ନେଇ ଆଲୋଚନା ଚାଲିଛି । ହେଲେ ଏଯାଏଁ କୌଣସି ନିଷ୍ପତିରେ ଉଭୟ ପକ୍ଷ ପହଂଚିପାରି ନାହାନ୍ତି । ଅକ୍ଟୋବର ୭ରେ ହମାସ୍ ଆତଙ୍କବାଦୀ ଇସ୍ରାଏଲ ଭିତରେ ପଶି ବର୍ବର କାଣ୍ଡ ଘଟାଇଥିଲେ । ଏହି ଆକ୍ରମଣରେ ପ୍ରାୟ ୧୫ ଶହ ଲୋକଙ୍କର ପ୍ରାଣ ଯାଇଥିଲା । ଏହା ପରେ ହମାସ୍ ବିରୋଧରେ ଯୁଦ୍ଧ ଘୋଷଣା କରି କାର୍ଯ୍ୟାନୁଷ୍ଠାନ ଚଳାଇଛି ଇସ୍ରାଏଲ ।