ଚାକିରୀ ଉପରେ କରୋନା ମାଡ : ଦ୍ୱିତୀୟ ଲହରରେ ମେ ମାସ ସୁଦ୍ଧା ନିଯୁକ୍ତି ହରାଇଛନ୍ତି ପ୍ରାୟ ଏକ କୋଟି ଭାରତୀୟ; ୯୭% ପରିବାରର କମିଛି ଆୟ

203

କନକ ବ୍ୟୁରୋ : ଚାକିରୀ ଉପରେ କରୋନା ମାଡ । କରୋନାର ଦ୍ୱିତୀୟ ଲହରରେ ପ୍ରାୟ ଏକ କୋଟି ଭାରତୀୟ ଚାକିରୀ ହରାଇଛନ୍ତି । ଏହାଛଡା କରୋନା ଆରମ୍ଭରୁ ଏ ଯାଏଁ ଦେଶର ୯୭ ପ୍ରତିଶତ ପରିବାରଙ୍କ ଆୟ କମିଛି । ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନମି, ସିଏମଆଇଇ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି । ଏହାଛଡା ସହରରେ ବେରୋଜଗାର ହାର ୧୭.୮୮ ପ୍ରତିଶତ ରହିଥିବାବେଳେ ଗ୍ରାମାଂଚଳରେ ଏହା ୯.୫୮ ରହିଛି ।

ସମଗ୍ର ଦେଶରେ ବେରୋଜଗାର ହାର ୧୨.୧୫ ପ୍ରତିଶତ ରହିଛି । ଗତ ଏପ୍ରିଲ ମାସରେ ଦେଶରେ ବେରୋଜଗାର ହାର ୮ ପ୍ରତିଶତ ଥିବାବେଳେ ମେ ମାସ ସୁଦ୍ଧା ଏହା ୧୨.୧୫ ପ୍ରତିଶତକୁ ବଢିପାରେ ବୋଲି ସିଏମଆଇଇ ଆକଳନ କରିଛି । କରୋନାର ଦ୍ୱିତୀୟ ଲହରକୁ ବୋକାରୀର ମୁଖ୍ୟ କାରଣ ବୋଲି କୁହାଯାଇଛି । ସଂସ୍ଥା ଆକଳନ କରିଛି, ଆଗକୁ ଅର୍ଥନୀତିରେ ସୁଧାର ଆସିଲେ ବେକାରୀଙ୍କ ସଂଖ୍ୟା କମିପାରେ । ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଯୋଗୁଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ନହେବା, ଅଧିକାଂଶ କମ୍ପାନୀ ନୂଆ ନିଯୁକ୍ତି ନ ଦେବା ଯୋଗୁଁ ବେକାରୀ ସମସ୍ୟା ବଢିଛି ।

କେବଳ ଆଇଟି କ୍ଷେତ୍ରକୁ ଛାଡିଦେଲେ ଅନ୍ୟ କୌଣସି କ୍ଷେତ୍ରରେ ବିଶେଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇନାହିଁ । ଗତ ଏପ୍ରିଲ ମାସରେ ସିଏମଆଇଇ ସମଗ୍ର ଦେଶରେ ୧ କୋଟି ୭୫ ଲକ୍ଷ ପରିବାରଙ୍କ ଉପରେ ଏହି ସର୍ବେକ୍ଷଣ କରିଥିଲା । କରୋନାର ଦୁଇଟି ଲହରରେ ପରିବାରର ଆୟ ମଧ୍ୟ ହ୍ରାସ ପାଇଥିବା ସର୍ଭେରେ ଦର୍ଶାଯାଇଛି । ମହାମାରୀ ଯୋଗୁଁ ଦେଶରେ ପ୍ରାୟ ୯୭ ପ୍ରତିଶତ ପରିବାରଙ୍କ ଆୟ ହ୍ରାସ ପାଇଛି ।