କନକ ବ୍ୟୁରୋ : ଏକ ମାସରୁ ଅଧିକ ଦିନ ଧରି କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ବେଳେ ସାମନାକୁ ଆସିଛି ଆଉ ଏକ ସାଂଘାତିକ ତଥ୍ୟ । ଦେଶର ବିଭିନ୍ନ ସହରାଂଚଳରେ ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେଉଥିବା ବେଳେ ଗ୍ରାମାଂଚଳରେ ହୁ ହୁ ହୋଇ ବଢ଼ିଚାଲିଛି ସଂକ୍ରମଣ ।
ବଡ଼ ବଡ଼ ସହରରେ ଲକଡାଉନ୍ ସଟଡାଉନ, କର୍ଫ୍ୟୁ ଭଳି ଶକ୍ତ କଟକଣା ଲଗାଇବା ପରେ ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି । ହେଲେ ଛୋଟ ଛୋଟ ସହର ଓ ଗାଁଗୁଡିକରେ ଏବେ ବ୍ୟାପିବାରେ ଲାଗିଛି କରୋନା ଭୂତାଣୁ ।
ଦେଶର ପ୍ରାୟ ସବୁ ରାଜ୍ୟର ଗ୍ରାମାଂଚଳରେ କରୋନା ଦ୍ୱିତୀୟ ଲହରର ବଡ଼ ପ୍ରଭାବ ଦେଖିବାକୁ ମିଳୁଛି । ପ୍ରଥମ ଲହରରେ ଗାଁଗୁଡିକ ଅପେକ୍ଷାକୃତ ସୁରକ୍ଷିତ ଥିବା ବେଳେ ଏବେ ସ୍ଥିତି ସଂଗୀନ ହେବାରେ ଲାଗିଛି । ଓଡ଼ିଶା ସମେତ ୧୩ଟି ରାଜ୍ୟର ଗ୍ରାମାଂଚଳରେ ସଂକ୍ରମଣ ସହର ଅପେକ୍ଷା ଅଧିକ ହେଉଥିବା ଜଣାପଡିଛି । ଏପ୍ରିଲ ୯ରୁ ମେ’ ୯ ଅର୍ଥାତ୍ ଗତ ଏକ ମାସ ମଧ୍ୟରେ ଗାଁଗୁଡିକର ସ୍ଥିତି ବିଶେଷ ଭାବେ ବିଗିଡ଼ି ଯାଇଛି । ମିଳିଥିବା ତଥ୍ୟ ଅନୁଯାୟୀ – ଓଡ଼ିଶାରେ ହାରାହାରି ଦୈନିକ ସଂକ୍ରମଣ ୧୦ ହଜାର ଟପିଥିବା ବେଳେ ଏହାର ୭୬ ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଛୋଟ ସହର ଓ ଗ୍ରାମାଂଚଳରୁ । ସହରାଂଚଳରୁ ୨୪ ପ୍ରତିଶତ ପଜିଟିଭ୍ ମାମଲା ଆସୁଛି ।
ଓଡ଼ିଶା
ହାରାହାରି ଦୈନିକ ସଂକ୍ରମଣ
ଗ୍ରାମାଂଚଳ ସହରାଂଚଳ
୭,୭୯୮ (୭୬%) ୨,୫୨୦ (୨୪%)
ସେହିପରି ମାସକ ମଧ୍ୟରେ ଛତିଶଗଡ଼ର ଗ୍ରାମାଂଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଦୈନିକ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି, ତାର ୮୯ ପ୍ରତିଶତ ଗାଁରୁ ଚିହ୍ନଟ ହେଉଛନ୍ତି । ବଡ଼ ସହରର ଭାଗ ହେଉଛି ମାତ୍ର ୧୧ ପ୍ରତିଶତ ।
ଛତିଶଗଡ଼
ହାରାହାରି ଦୈନିକ ସଂକ୍ରମଣ
ଗ୍ରାମାଂଚଳ ସହରାଂଚଳ
୧୨,୦୯୯ (୮୯%) ୧,୪୮୦ (୧୧%)
ହିମାଚଳ ପ୍ରଦେଶର ବି ସେହି ଏକା ଅବସ୍ଥା । ଗ୍ରାମାଂଚଳରୁ ହାରାହାରି ୭୯ ପ୍ରତିଶତ ଦୈନିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସହରାଂଚଳରୁ ହେଉଛନ୍ତି ୨୧ ପ୍ରତିଶତ ।
ହିମାଚଳ ପ୍ରଦେଶ
ହାରାହାରି ଦୈନିକ ସଂକ୍ରମଣ
ଗ୍ରାମାଂଚଳ ସହରାଂଚଳ
୩,୦୪୦ (୭୯%) ୧,୬୮୮ (୨୧%)
ବିହାରର ସ୍ଥିତି ମଧ୍ୟ ଏକାଭଳି । ଗ୍ରାମାଂଚଳରୁ ହାରାହାରି ୭୬ ପ୍ରତିଶତ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସହରାଂଚଳରୁ ୨୪ ପ୍ରତିଶତ ।
ବିହାର
ହାରାହାରି ଦୈନିକ ସଂକ୍ରମଣ
ଗ୍ରାମାଂଚଳ ସହରାଂଚଳ
୧୦,୧୪୮ (୭୬%) ୩,୨୫୭ (୨୪%)
ତଥ୍ୟ ଅନୁସାରେ ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ ଅଧିକାଂଶ ରାଜ୍ୟର ଗ୍ରାମାଂଚଳରେ ସଂକ୍ରମଣ ବଢିବାରେ ଲାଗିିଛି । ଉତରପ୍ରଦେଶ ହେଉ କି ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ହେଉ କି ଅରୁଣାଚଳ ପ୍ରଦେଶ, ସବୁଠି ସହରାଂଚଳକୁ ବଳିଗଲାଣି ଗ୍ରାମାଂଚଳର ସଂକ୍ରମଣ ।
ଏପରିକି ମହାରାଷ୍ଟ୍ର ଭଳି ରାଜ୍ୟ ଯେଉଁଠି ସହରାଂଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ, ସେଠାରେ ମଧ୍ୟ ଅବସ୍ଥା ବଦଳିଗଲାଣି । ବର୍ତମାନର ତଥ୍ୟ କହୁଛି, ସହରାଂଚଳରେ ୪୪ ପ୍ରତିଶତ ଦୈନିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗ୍ରାମାଂଚଳରେ ଏହା ବୃଦ୍ଧି ପାଇ ୫୬ ପ୍ରତିଶତରେ ପହଁଚିଗଲାଣି ।
ମହାରାଷ୍ଟ୍ର
ହାରାହାରି ଦୈନିକ ସଂକ୍ରମଣ
ଗ୍ରାମାଂଚଳ ସହରାଂଚଳ
୩୦,୩୩୪ (୫୬%) ୨୩,୮୫୭ (୪୪%)
ସଂକ୍ରମଣ ହାର ବା ଟେଷ୍ଟ-ପଜିଟିଭିଟି ହାର ହେଉଛି, କରୋନା ଟେଷ୍ଟ କରିବାକୁ ଆସୁଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି । ପୁଡୁଚେରୀର ୟନମ୍ ଜିଲ୍ଲାରେ ସଂକ୍ରମଣ ହାର ପହଁଚିଛି ପାଖାପାଖି ୧୦୦ ପ୍ରତିଶତ । ଅର୍ଥାତ ଯାହାକୁ ଥଣ୍ଡା ଜ୍ୱର ହୋଇଛି ଏବଂ ସେ କରୋନା ପରୀକ୍ଷା କରାଉଛନ୍ତି, ତାଙ୍କ ସ୍ୱାବ ରିପୋର୍ଟ ପଜିଟିଭ୍ ଆସୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ପୁଡୁଚେରୀର ୟନମ ଜିଲ୍ଲାର ସଂକ୍ରମଣ ହାର ୯୬.୯ ପ୍ରତିଶତ ।
ସେହିପରି ଅରୁଣାଚଳ ପ୍ରଦେଶର ଚଙ୍ଗ୍ଲାଙ୍ଗ ଜିଲ୍ଲାର ସଂକ୍ରମଣ ହାର ୮୮.୨ ପ୍ରତିଶତ ଓ ଦିବାଙ୍ଗ୍ ଭ୍ୟାଲିର ସଂକ୍ରମଣ ହାର ୮୧ ପ୍ରତିଶତ । ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ସଂକ୍ରମଣ ହାର ରହିଛି ୪୮.୮ ପ୍ରତିଶତ । ଗ୍ରାମାଂଚଳରେ ସଂକ୍ରମଣ ବଢୁଥିବାରୁ ସମଗ୍ର ଜିଲ୍ଲାର ପଜିଟିଭିଟି ରେଟ୍ ବୃଦ୍ଧି ପାଇବାରେ ଲାଗିଛି ।