କନକ ବ୍ୟୁରୋ : ମୋଦିଙ୍କ ଗ୍ରୀନ୍ ସିଗନାଲ୍ ସହ ଓଡ଼ିଶା ରେଳ ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହୋଇଯାଇଛି ଆଉ ଏକ ସଫଳ ଅଧ୍ୟାୟ । ରାଜ୍ୟରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀରୁ ରାଉରକେଲାକୁ ଯୋଡ଼ିଲା ସେମି ହାଇସ୍ପିଡ୍ ଟ୍ରେନ୍ । ଏକାଥରକେ ୧୧ଟି ରାଜ୍ୟକୁ ସଂଯୋଗ କରୁଥିବା ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି- ବନ୍ଦେ ଭାରତ ଏକ୍ସପ୍ରେସ୍ ଭାରତୀୟଙ୍କ ଆକାଂକ୍ଷାକୁ ପୁୁରଣ କରୁଥିବାରୁ ଏହାର କ୍ରେଜ୍ ବଢ଼ିବାରେ ଲାଗିଛି । ଖୁବଶୀଘ୍ର ଏହା ଦେଶର ସବୁ ପ୍ରାନ୍ତକୁ ଯୋଡ଼ିବ ।

Advertisment

ଶନିବାରକୁ ଛାଡ଼ି ସପ୍ତାହର ୬ ଦିନ ପୁରୀ ଓ ରାଉରକେଲା ମଧ୍ୟରେ ଏହା ଚଳାଚଳ କରିବ । ପୁରୀରୁ ରାଉରକେଲାକୁ ୮ ଘଂଟା ସମୟ ଲାଗିବ । ପୁରୀରୁ ସକାଳ ୫ଟା ବାହାରି ଦିନ ୧୨ଟା ୪୫ରେ ରାଉରକେଲାରେ ପହଂଚିବ । ସେହିପରି ରାଉରକେଲାରୁ ଦିନ ୨ଟା ୧୦ ମିନିଟରେ ଛାଡ଼ି ରାତି ୯ଟା ୪୦ରେ ପୁରୀରେ ପହଂଚିବ । ଏହି ଅବସରରେ ରେଳମନ୍ତ୍ରୀ, ରେଳର ଉନ୍ନତିକରଣକୁ ଗୁରୁତ୍ୱ ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ ।

ଭୁବନେଶ୍ୱର ହୋଇଥିବା କାର୍ଯ୍ୟକ୍ରମରେ, ରେଳ ସଂଯୋଗୀକରଣ ପ୍ରସଙ୍ଗ ଉଠାଇଥିଲେ ବିଜେଡି ସାଂସଦ ସୁଲତା ଦେଓ । ଓଡ଼ିଶାର ୭ଟି ଜିଲ୍ଲାକୁ ରେଳପଥ ଛୁଇଁ ନାହିଁ । ତେଣୁ ରେଳ ମନ୍ତ୍ରାଳୟ ଓ ପ୍ରଧାନମନ୍ତ୍ରୀ ଏଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ ବନ୍ଦେ ଭାରତ ଟ୍ରେନ୍ର ଟିକେଟ୍ ଦାମ କମାଯାଉ ବୋଲି କହିଥିଲେ । ଆଉ ଏହାରି ଭିତରେ ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ର, ପୁରୀରୁ ରାୟପୁରକୁ ଆଉ ଏକ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ପାଇଁ ଦାବି ଉଠାଇଥିଲେ ।ଏହି ବୟାନବାଜି ଭିତରେ ଓଡ଼ିଶାରେ ଗଡ଼ିଛି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ।