ବାରିପଦା ନାବାଳିକା ଗଣଦୁଷ୍କର୍ମ ମାମଲାର ସାଂଘାତିକ ସତ । ଥରେ ଦୁଷ୍କର୍ମ ପରେ ଲୋକଲଜ୍ଜା ଭୟରେ ହୋଇଥିଲା ଆପୋଷ ସମାଧାନ, ତଥାପି ସୁଧୁରିଲାନି ସଇତାନ, ବର୍ଷେପରେ ପୁଣିଥରେ ଅପରାଧ ଦୋହରାଇଲା ନରରାକ୍ଷସ ।

2,506

କନକ ବ୍ୟୁରୋ : ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟାଇଥିବା ଜଣେ ନରପିଶାଚ, କିଭଳି ନିଜ ପ୍ରବୃତି ଛାଡି ପାରେ ନାହିଁ, ତାହାର ଉଦାହରଣ ବାରିପଦାରେ ଦେଖିବାକୁ ମିଳିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବାରିପଦା ନାବାଳିକା ଗଣଦୁଷ୍କର୍ମ ମାମଲାର ଅପରାଧୀ ସୋନୁ ସିଂ ଦ୍ୱିତୀୟ ଥର ଏଭଳି ନାରକୀୟ କାଣ୍ଡ କରିଛି । ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଲୋକଲଜ୍ଜା ଭୟରେ ମାମଲାର ଆପୋଷ ସମାଧାନ ହୋଇଥିଲା । ଅପରାଧୀ ନିଜକୁ ପରିବର୍ତନ କରିବା ବଦଳରେ ପୁଣି ସେଇ ଭୁଲକୁ ଦୋହରାଇଛି ।

ବାରିପଦାରୁ ଆସିଲା ସାଂଘାତିକ ତଥ୍ୟ । ଦୁଇଥର ପିଶାଚଙ୍କ ଶିକାର ହୋଇଥିଲେ ପୀଡିତା । ଏହି ନାରକୀୟ କାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ବାରିପଦାର ସୋନୁ ସିଂ । ଗତ ୧୪ ତାରିଖ ମକର ମେଳାର ସୁଯୋଗ ନେଇ ଭୋର ସମୟରେ ଜଣେ ନାବାଳିକାକୁ ଏକୁଟିଆ ଦେଖି ତାଙ୍କୁ ନିକଟସ୍ଥ ନଦୀ ପଠାକୁ ଟେକି ନେଇଥିଲା ସୋନୁ ସିଂ ଏବଂ ତାର ଜଣେ ନାବାଳକ ସାଥି । ସେମାନେ ନାବାଳିକାକୁ ଦୁଷ୍କର୍ମ କରିଥିବା ବେଳେ କୌଶଳ କରି ସେମାନଙ୍କ କବଳରୁ ମୁକୁଳି ଆସିଥିଲା ନାବାଳିକା ଜଣକ । ପରେ ଘରେ ଆସି ପୁରା ଘଟଣା କହିବା ପରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି ।

କେବଳ ଏହି ଘଟଣାର ତଦନ୍ତ ବେଳେ ଆସିଛି ଏକ ସାଂଘାତିକ ତଥ୍ୟ । ଏହି ଅଭିଯୁକ୍ତ ସୋନୁ ସିଂ ପ୍ରାୟ ବର୍ଷେ ତଳେ ନାବାଳିକା ଜଣଙ୍କୁ ବଳାକ୍ରାର କରିଥିଲା । କିନ୍ତୁ ଲୋକଲଜ୍ଜା ଯୋଗୁଁ ସ୍ଥାନୀୟ ଲୋକଙ୍କ ସହ ଏହି ବିବାଦର କରାଯାଇଥିଲା ଆପୋଷ ସମାଧାନ । ହେଲେ ପୁଣି ଥରେ ନିଜର ସଇତାନୀ ଦେଖାଇଛି ଅଭିଯୁକ୍ତ ।

ମୁଖ୍ୟ ଅଭିଯୁକ୍ତ ସୋନୁ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ସହଯୋଗୀ ନାବାଳକ ଜଣଙ୍କୁ ଅନୁଗୁଳ ସ୍ଥିତ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଏଭଳି ଅପରାଧ ପଛରେ ଆଇନର ଅଜ୍ଞତା ଏବଂ ବର୍ତମାନ ଦିନର ବ୍ୟାପକ ମୋବାଇଲ ବ୍ୟବହାର ମଧ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।

ଲୋକଲଜ୍ଜା ଭୟରେ ବର୍ଷକ ତଳେ କରାଯାଇଥିବା ଆପୋଷ ସମାଧାନ ଏବେ ନାବାଳିକା ଜଣକ ପାଇଁ ଯନ୍ତ୍ରଣାର ରୂପ ନେଇଛି । ତେବେ ଏଭଳି ନରପିଶାଚ ପାଇଁ କଠୋର ଦଣ୍ଡ ପାଇଁ ସାଧାରଣରେ ଦାବି ହେଉଛି ।