ଆସନ୍ତାକାଲି କେରଳର ୱାୟନାଡ଼୍ ଆସନରେ ହେବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା । ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୮୮ ଆସନରେ ପଡିବ ଭୋଟ

74

କନକ ବ୍ୟୁରୋ : ବିରୋଧୀ ଇଣ୍ଡିଆ ମେଂଟର ପ୍ରମୁଖ ଚେହେରା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା ହେବ । ଦ୍ୱିତୀୟ ଥର ପାଇଁ କେରଳ ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ । କଂଗ୍ରେସ ଇଣ୍ଡିଆ ମେଂଟରେ ଥିଲେ ମଧ୍ୟ ଏଠାରେ ସିପିଆଇ ମଧ୍ୟ ପ୍ରାର୍ଥୀ ଦେଇଛି । ବିଜେପି ମଧ୍ୟ ଏହି ଆସନ ପାଇଁ କେରଳ ରାଜ୍ୟ ବିଜେପି ସଭାପତିଙ୍କୁ ପ୍ରାର୍ଥୀ କରିଛି । ଦକ୍ଷିଣ ଭାରତରେ ପଦ୍ମ ଫୁଟାଇବାକୁ ଜୋରଦାର ପ୍ରୟାସ କରୁଥିବାରୁ ଏବଂ ସଂପୃକ୍ତ ଅଂଚଳରେ ଅଳ୍ପ ସଂଖ୍ୟକଙ୍କ ଦବଦବା ଥିବାରୁ ମୁକାବିଲା ତ୍ରିକୋଣୀୟ ହେବ ବୋଲି ସମ୍ଭାବନା ରହିଛି । ଶୁକ୍ରବାର ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ୧୨୦୬ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ଏହି ପ୍ରାର୍ଥୀଙ୍କ ତାଲିକାରେ ବିଜେପି ଓ କଂଗ୍ରେସ ଭଳି ଦଳର ପ୍ରମୁଖ ଜଣାଶୁଣା ଚେହେରାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ରାହୁଲଙ୍କ ବ୍ୟତୀତ କେରଳ ଥିରୁଅନନ୍ତପୁରମରୁ ଶଶି ଥରୁର ଏବଂ ଅଭିନେତାରୁ ରାଜନେତା ପାଲଟିଥିବା ଉତର ପ୍ରଦେଶ ମିରଟରୁ ଅରୁଣ ଗୋଭିଲ, ମଥୁରାରୁ ହେମା ମାଳିନୀ, ରାଜସ୍ଥାନ କୋଟାରୁ ଓମ୍ ବିର୍ଲା ଏବଂ ଯୋଧପୁରରୁ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରମୁଖଙ୍କ ଭାଗ୍ୟ ପରୀକ୍ଷା ହେବ । ସର୍ବାଧିକ ୨୦ଟି ଲୋକସଭା ଆସନ କେରଳରେ ରହିଥିବା ବେଳେ କର୍ଣ୍ଣାାଟକର ୧୪ ଏବଂ ରାଜସ୍ଥାନର ୧୩ଟି ଲୋକସଭା ଆସନ ରହିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା୬ଟାରେ ଶେଷ ହେବ ।

ଶୁକ୍ରବାର ୮୮ଟି ଆସନରେ ମତଦାନ ହେବାକୁ ଯାଉଛି । ୨୦୧୯ରେ ଏହି ସମସ୍ତ ଆସନରୁ ବିଜେପି ୫୫ଟି ଏବଂ କଂଗ୍ରେସ ୧୮ଟି ଆସନରେ ବିଜୟୀ ହୋଇଥିଲା । ଯଦି ଏବେର ରାଜନୀତିକ ସମୀକରଣକୁ ଦେଖିବା ତାହେଲେ ଏନଡିଏ ପାଖରେ ୬୧ଟି ଆସନ ରହିଥିବା ବେଳେ ଇଣ୍ଡିଆ ମେଂଟ ପାଖରେ୍ ୨୩ଟି ଆସନ ରହିଛି । ୨୦୧୪ରେ କିନ୍ତୁ ଏହି ସମସ୍ତ ଆସନରୁ ବିଜେପି ୪୬ଟି ଆସନ ଜିତିଥିବା ବେଳେ ଇଣ୍ଡିଆ ମେଂଟ ପାଖରେ ୩୫ଟି ଆସନ ଥିଲା । ବଡ କଥା ହେଉଛି ମତଦାନ ହେବାକୁ ଥିବା ୧୨ଟି ରାଜ୍ୟରୁ ବିରୋଧୀ ଇଣ୍ଡିଆ ମେଂଟର ସଦସ୍ୟ ସିପିଆଇ ଏମ କେରଳରେ, ପଶ୍ଚିମବଙ୍ଗରେ ଟିଏମସି, କଂଗ୍ରେସ କର୍ଣ୍ଣାଟକରେ କ୍ଷମତାରେ ରହିଛି । ଆସାମ, ମଣିପୁର, ତ୍ରିପୁରା, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଜେପି କ୍ଷମତାରେ ଥିବା ବେଳେ ବିହାର ଏବଂ ଏପ୍ରିଲ ୧୯ରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ୧୦୨ଟି ଆସନରେ ମତଦାନ ହୋଇଥିଲା । ଯେଉଁଥିରେ ମୋଟ୍ ୬୫.୫ ପ୍ରତିଶତ ମତଦାନ ହୋଇଛି । ବିଜେପି ୪୦୦ ପାର ନାରା ସଫଳ କରିବାକୁ ହେଲେ ସବୁଠୁ ଅଧିକ ଭରସା କରିଛି ପ୍ରଥମ ପର୍ଯ୍ୟାୟ ମତଦାନ ପରେ ହେବାକୁ ଥିବା ଆସନ ଗୁଡିକ ଉପରେ ।