ଅଲଗା ହେବ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ ! ସକାଳ ୯ଟାରୁ ଦିଲ୍ଲୀ ଏମ୍ସରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଆରମ୍ଭ

29

କନକ ବ୍ୟୁରୋ : ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଆରମ୍ଭ । ଆଜି ସକାଳ ୯ାରୁ ଆରମ୍ଭ ହୋଇଛି ଅପରେସନ । ଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କର ଅପରେସନ ଚାଲିଛି । ଉଭୟଙ୍କୁ ଅଲଗା କରିବା ପାଇଁ ଏମ୍ସର ବିଶେଷଜ୍ଞଙ୍କ ଦ୍ୱାରା ଅପରେସନ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଅପରେସନ ୨୫ରୁ ୨୭ ଘଣ୍ଟା ଲାଗିବ । ସକାଳ ୬ଟାରୁ ଜଗା-ବଳିଆଙ୍କୁ ଏମ୍ସରେ ଆଡମିଶନ କରାଯାଇଥିଲା । ଜଗନ୍ନାଥଙ୍କ ଆଶିର୍ବାଦରୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ଠିକ ଠାକ ଚାଲିଥିବା କହିଛନ୍ତି ପ୍ରତାପ । ଆଜିର ଅପରେସନରେ କୌଣସି ବିଦେଶୀ ଡାକ୍ତର ସାମିଲ ହୋଇନଥିବା ପ୍ରତାପ ସ୍ପଷ୍ଟ କରିଛନ୍ତି । ସେମାନଙ୍କର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଅଗଷ୍ଟ ୨୬ରେ ଜଗା –ବଳିଆଙ୍କର ପ୍ରଥମ ପର୍ଯ୍ୟାୟ ଅପରେସନ କରାଯାଇଥିଲା । ଏକ ୪୦ ଜଣିଆ ଡାକ୍ତରୀ ଦଳ ଏହି ଅପରେସନରେ ସାମିଲ ହୋଇଥିଲେ । ଏଥିରେ ଜାପାନରୁ ଆସିଥିବା ବିଶେଷଜ୍ଞ ମଧ୍ୟ ସାମିଲ ହୋଇଥିଲେ । କେ. ତାକି ଜାୱାଙ୍କ ନେତୃତ୍ୱରେ ହୋଇଥିଲା ଅପରେସନ ।ଫୁଲବାଣୀର ଯାଆଁଳା ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀରେ ଅପରେସନ ପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଦୁଇ ଶିଶୁଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ନିଜ ରିଲିଫ ପାଣ୍ଠିରୁ ଏକ କୋଟି ଟଙ୍କା ଦେଇଥିଲେ । ପ୍ରଥମେ ଦୁଇ ଶିଶୁଙ୍କୁ କଟକ ବଡ ମେଡ଼ିକାଲ ଅଣାଯାଇ ଚିକିତ୍ସା କରାଯାଇଥିଲା । ଆଉ ପରେ ଉଭୟଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା ।

ସୂଚନାଯୋଗ୍ୟ ଲଗାତର ମାସେ ଧରି ସବୁ ପରୀକ୍ଷା କରିବା ପରେ ସ୍ୱତନ୍ତ୍ର ଡାକ୍ତର ଟିମ୍ ନେତୃତ୍ୱରେ ଅପରେସନ ହୋଇଥିଲା । ହସପିଟାଲରେ ଆଡମିଟ୍ ପରେ ଦୁଇ ଶିଶୁଙ୍କ ଇସିଜି, ସିଟି ସ୍କାନ, ଏମ୍ଆରଆଇ, ଅଲଟ୍ରାସାଉଣ୍ଡ ଏବଂ ଏକ୍ସରେ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ପ୍ଲାଷ୍ଟିକ ସର୍ଜରୀ, ଆନାସ୍ଥେସିଆ ଓ ସର୍ଜରୀ ବିଭାଗର ବିଶେଷଜ୍ଞ ଓ ଡାକ୍ତର ମଧ୍ୟ ସାମିଲ ହୋଇଥିଲେ ।