ଆଜି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ନନ୍ଦିଗ୍ରାମ ସହିତ ୩୦ ଆସନରେ ଭୋଟ ଗ୍ରହଣ 

ମମତା ବାନାର୍ଜୀଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ; ମଇଦାନରେ ଘମାସାନ ଲଢେଇ

62

କନକ ବ୍ୟୁରୋ : ଆଜିି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପଶ୍ଚିମବଙ୍ଗ ରାଜନୀତିର ସବୁଠାରୁ ଅଧିକ ଚର୍ଚ୍ଚିତ ଆସନ, ନନ୍ଦିଗ୍ରାମରେ ପଡିବ ଭୋଟ୍ । ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୩୦ ଆସନରେ ହେଉଛି ଭୋଟିଂ । ୪ ଜିଲ୍ଲାର ୩୦ ଆସନ ଭିତରୁ ସବୁଠାରୁ ଚର୍ଚାରେ ରହିଛି ନନ୍ଦିଗ୍ରାମ ଆସନ । କାରଣ ଏହି ଆସନରେ ବେଙ୍ଗଲ ଦେଖୁଛି ଚଳିତ ନିର୍ବାଚନର ସବୁଠାରୁ ବଡ ଲଢେଇ ।

ନନ୍ଦିଗ୍ରାମ ପାଲଟିଛି ପଶ୍ଚିମବଙ୍ଗର ହାଇଭୋଲଟେଜ୍ ଆସନ । କାରଣ ଏହି ଆସନରୁ ଟିଏମସି ପ୍ରାର୍ଥୀ ଅଛନ୍ତି ମମତା ବାନାର୍ଜୀ । ଆଉ ମମତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ, ତଥା ମମତାଙ୍କ ପୁରୁଣା ସହଯୋଗୀ ଶୁଭେନ୍ଦୁ ଅଧିକାରୀ । ଏହି ଦୁଇ ହେଭିୱେଟ୍ ନେତାଙ୍କ ଲଢେଇ ଉପରେ ସମସ୍ତଙ୍କ ନଜର ରହିଛି । ଏହି ପର୍ଯ୍ୟାୟରେ ବେଙ୍ଗଲର ୪ ଜିଲ୍ଲାର ୨୪ ପ୍ରଗଣା ପାର୍ଟ ୧ , ବାଙ୍କୁରା ପାର୍ଟ ୨, ପଶ୍ଚିମ ମେଦିନପୁର ପାର୍ଟ ୨ ଏବଂ ପୂର୍ବ ମେଦିନାପୁର ଜିଲ୍ଲାରେ ହେବାକୁ ଯାଉଛି ମତଦାନ ।

ଏପଟେ ପୁଲିଂ କେନ୍ଦ୍ରରେ ପହଁଚି ସାରିଲେଣି ପୁଲିଂ କର୍ମଚାରୀ ଓ ଅଧିକାରୀ । ମମତା ନିଜ ପାରମ୍ପରିକ ଆସନ ଭବାନୀପୁରକୁ ଛାଡି ଏଥର ନନ୍ଦିଗ୍ରାମରୁ ନିର୍ବାଚନ ଲଢୁଛନ୍ତି । ବିଜେପି ଏହି ଆସନରୁ କଳେବଳେ ଜିିତିବା ପାଇଁ ସ୍ୱତନ୍ତ୍ର ରଣନୀତି କରୁଥିବା ବେଳେ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ଟିଏମସି ସୁପ୍ରିମୋ । ସେପଟେ ବିଜେପି ବି ଏଠାରେ ଜୋରଦାର କରିଛନ୍ତି ନିର୍ବାଚନୀ ପ୍ରଚାର । ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଚଳିତ ନିର୍ବାଚନ ହେଉଥିବା ବେଳେ ବିଜେପି ପାଇଁ ଫୋକସରେ ଅଛି ପଶ୍ଚିମବଙ୍ଗ । ଏସବୁ ଭିତରେ ନନ୍ଦିଗ୍ରାମ ଉଭୟ ଟିଏମସି ଓ ବିଜେପି ପାଇଁ ପାଲଟି ଯାଇଛି ସମ୍ମାନର ପ୍ରଶ୍ନ ।