ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଇଭିଏମରେ ସିଲ୍ ହେଲା ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ

103

କନକ ବ୍ୟୁରୋ: ଦେଶରେ ପଂଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ କହିଛି, ସନ୍ଧ୍ୟା ୫ଟା ସୁଦ୍ଧା ୬୦ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଆଜି ଗୋଟିଏ ଦିନରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ସମେତ ଏହା ଅଧିନରେ ଥିବା ସମସ୍ତ ୩୫ ବିଧାନସଭା ପାଇଁ ଭୋଟ୍ ପଡ଼ିଛି । ଏବଂ ଇଭିଏମ ସିଲ୍ ହେବା ସହ ୩୦୫ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହୋଇଛି । ଯାହାର ଫଳାଫଳ ଜୁନ୍ ୪ତାରିଖରେ ଆସିବାକୁ ଯାଉଛି ।

ଭୋଟ୍ ଦେଇଛି ଓଡ଼ିଶା, ନେତା ବାଛିଛନ୍ତି ଜନତା । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ବେଶ ଉତ୍ସାହ ଓ ଉକ୍ରଣ୍ଠର ସହ ମତ ସାବ୍ୟସ୍ତ କରିଛନ୍ତି ଭୋଟର୍ । ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଂଚିଯାଇଥିଲେ ଭୋଟର୍ । ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି କେନ୍ଦ୍ରରେ ସମାନ୍ୟ ସମସ୍ୟା ଦେଖାଯାଇଥିଲା, ପରବର୍ତୀ ସମୟରେ ସ୍ୱାଭିବକ୍ ମତଦାନ ହୋଇଛି ।

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ସମେତ ଏହା ଅଧିନରେ ଥିବା ସମସ୍ତ ୩୫ ବିଧାନସଭା ପାଇଁ ମତଦାନ ସରିଛି । ପ୍ରାୟ ୭୬ ଲକ୍ଷ ଭୋଟର ୩୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଥିବା ବେଳେ ଇଭିଏମ୍ରେ ସିଲ୍ ହୋଇଛି ନେତାଙ୍କ ଭାଗ୍ୟ ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଏକାଧିକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ଜୁଏଲ ଓରାମ, ନିରଂଜନ ପୂଜାରୀ, ଦିଲ୍ଲୀପ ରାୟ, ପ୍ରଦୀପ ଅମାତ, ସଂଗୀତା ସିଂଦେଓ, ସୁରେଶ ପୂଜାରୀ ଏବଂ ସୁଶାନ୍ତ ସିଂହଙ୍କ ଭଳି ତୁଙ୍ଗ ନେତାଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି ।

୨୦୧୯ ନିର୍ବାଚନରେ ଏହି ୫ ଲୋକସଭା ଆସନରୁ ସୁନ୍ଦରଗଡ, ବରଗଡ ଓ ବଲାଙ୍ଗୀରରେ ବାଜି ମାରିଥିଲା ବିଜେପି । ଆଉ କନ୍ଧମାଳ ଓ ଆସ୍କାରେ ବିଜେଡି ବିଜୟ ହାସଲ କର୍ିଥିଲା । ସେହିପିରି ୩୫ ବିଧାନସଭା ଆସନରୁ ବିଜେଡିକୁ ୨୬, ବିଜେପି ୪, କଂଗ୍ରେସ ୪ ଓ ସିପିଏମକୁ ଗୋଟିଏ ଆସନ ମିଳିଥିଲା ।