ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତିି : ସେପଟେ ହିଂଜିଳି ବିଧାନସଭା ଆସନ ପାଇଁ କାଲି ନାମାଙ୍କନ ପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ

245

ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଆଜିଠାରୁ ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୬। ମାର୍ଚ୍ଚ ୨୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ୨୯ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ।

ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ୫ଟି ଲୋକସଭା ଆସନ (ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା) ଓ ଏହା ଅଧୀନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୧୮ ତାରିଖରେ ଭୋଟ୍ ଗ୍ରହଣ ହେବ। ସେପଟେ କାଲି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଛତ୍ରପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ । ସେଠାରେ ଉପସ୍ଥିତ ରହିବେ ଜିଲ୍ଲାର ସମସ୍ତ ବିଜେଡି ସାଂସଦ ଓ ବିଧାୟକ । ହିଂଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବେ ନବୀନ ।

ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରୁ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବେ ନବୀନ । ନିଜ ପାରମ୍ପରିକ ହିଞ୍ଜିଳି ବିଧାନସଭା କ୍ଷେତ୍ର ସହ ବିଜେପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ଗୋଟିଏ ଦିନରେ ଦେବେ ଦୁଇ ଦୁଇଟି ପରୀକ୍ଷା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ଏପ୍ରିଲ୍ ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନରେ ଏକସଙ୍ଗେ ଦୁଇଟି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଏହି କଥା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କାରଣ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶା ମାଟିରୁ ନିର୍ବାଚନ ଲଢ଼ିବାକୁ ରଣହୁଙ୍କାର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।